ପରିବାର ଚଳାଇବା ପାଇଁ ରାସ୍ତା କଡରେ ହାଣ୍ଡିଆ ବିକିଲେ ନାବାଳିକା

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ଅର୍ଥାଭାବ କିଭଳି ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ରାସ୍ତା କଡରେ ହାଣ୍ଡିଆ ବିକିବା ପାଇଁ ବାଧ୍ୟ କରିଛି ତାର ଚିତ୍ର ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର କୁଣ୍ଡୁରା ଗାଁରେ ଦେଖିବାକୁ ମିଳିଛି । ୧୧ ବର୍ଷର ନାବାଳିକା ସାଲଗେ ସୋରେନ ଘରେ ରୋଗାକ୍ରାନ୍ତ ବାପାଙ୍କୁ ଭଲ କରିବା ଓ ପରିବାର ଚଳାଇବା ଉଦ୍ଦେଶ୍ୟରେ ଏବେ ରାସ୍ତା କଡରେ ହାଣ୍ଡିଆ ବିକୁଛନ୍ତି । ପାଞ୍ଚ ମାସ ଧରି ନାବାଳିକାଙ୍କ ବାପା ଚନ୍ଦ୍ର ସୋରେନ ଯକ୍ଷ୍ମା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହେବା ପରେ ମାଆ ପର ଘରେ କାମ କରି ପରିବାର ଚଳାନ୍ତି । ହେଲେ କରୋନା ପାଇଁ ଲକଡାଉନ ହେବାରୁ କାମଧନ୍ଦା ମିଳିବା ବନ୍ଦ ହୋଇଗଲା । ଘରକୁ ରୋଜଗାରର ବାଟ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯିବା ସହ ରୋଗାକ୍ରାନ୍ତ ବାପାଙ୍କ ଚିକିତ୍ସା ପାଇଁ ସଞ୍ଚିଥିବା ସମ୍ବଳ ମଧ୍ୟ ସରିବାକୁ ଲାଗିଲା । ଫଳରେ ଭୋକରୁ ବଞ୍ଚିବା ସହ ଘର ଚଳାଇବା ପାଇଁ ହାଣ୍ଡିଆ ବ୍ୟବସାୟ ଆରମ୍ଭ କଲେ ମା ସାଲମା ସୋରେନ । ଘରେ ସାନ ଭାଇ ଓ ବାପାଙ୍କୁ ଜଗି ମାଆ ରହୁଥିବା ବେଳେ ନାବାଳିକା ଝିଅ ସାଲଗେ ରାଇରଙ୍ଗପୁର-ବାରିପଦା ରାସ୍ତା ଗାଁ ଛକ ନିକଟରେ ହାଣ୍ଡିଆ ବିକ୍ରି କରିବା ଆରମ୍ଭ କଲେ । ବେପାରରୁ ଯେତିକି ମିଳିଲା ସେଥିରେ ବାପାଙ୍କ ଚିକିତ୍ସା ସାଙ୍ଗକୁ ସାନଭାଇର ପାଠପଢା ଓ ପରିବାର ଚଳାଇବା ଖର୍ଚ୍ଚ ମଧ୍ୟ ସାମିଲ ହେଲା । ବର୍ତ୍ତମାନ ମାହାମାରୀ କରୋନା ସମୟରେ ଘୋର ଅର୍ଥାଭାବ ଯୋଗୁଁ ଘର ଚଳାଇବାକୁ ଯାଇ ହାଣ୍ଡିଆ ବିକୁଥିବା ନାବାଳିକା ଓ ତାଙ୍କ ପରିବାର ଏବେ ସରକାରଙ୍କ ତରଫରୁ ସହାୟତା ପାଇଁ ନିବେଦନ କରିଛନ୍ତି ।