ବେଆଇନ କଳା ପଥର ଲୁଟକୁ ବିରୋଧ, ପଥର ମାଫିଆଙ୍କ ଆକ୍ରୋଶର ଶିକାର ଗ୍ରାମବାସୀ

ଦୀପକ କୁମାର/ ଯାଜପୁର: ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ସବୁକିଛି ବନ୍ଦ । ଏପରି ସମୟରେ କିନ୍ତୁ ଅବାଧରେ ଚାଲିଛି ବେଆଇନ କଳା ପଥର ଲୁଟ୍। ଏହାକୁ ଗ୍ରାମବାସୀ ବିରୋଧ କରିବା ପରେ ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଆଉ ଧର୍ମଶାଳା ପ୍ରଶାସନ ଏସବୁର ନିରବଦ୍ରଷ୍ଟା ସାଜିଛି ।

ସ୍ଥାନୀୟ ରାହାଡ୍ ପାହାଡ଼ରୁ ଲକ୍ଡାଉନ ସମୟରେ ଟନ୍ ଟନ୍ ବେଆଇନ କଳା ପଥର ଚାଲାଣ ହେଉଛି । ପଥର ମାଫିଆ ବେଧଡକ ଭାବେ ବ୍ଲାଷ୍ଟିଂ କରି ଲୁଟି ଚାଲିଛନ୍ତି କଳା ପଥର । ଏହି ବ୍ଲାଷ୍ଟିଂ ଫଳରେ ସ୍ଥାନୀୟ ଅଞ୍ଚଳରେ ପିଇବା ପାଣି ଦୂଷିତ ହେଉଛି । ପାହାଡ କଡରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ମହେଶ୍ୱରା ପଞ୍ଚାୟତର ଦଳିତ ବାଲିଯୋଡା ଗ୍ରାମର ଟ୍ୟୁବ୍ୱେଲ ରୁ ଗୋଳିଆ ପାଣି ବାହାରୁଛି । ଏହି ପାଣି ବ୍ୟବହାର କରି ସ୍ଥାନୀୟ ବାସିନ୍ଦା ତଥା ଜୀବଜନ୍ତୁ ବିଭିନ୍ନ ରୋଗରେ ମରୁଛନ୍ତି । ତେଣୁ ବାଲି ଯୋଡ଼ାର ଲୋକେ ଏହାକୁ ବିରୋଧ କରିଥିଲେ । ଫଳରେ ସବର୍ଣ୍ଣ ଶ୍ରେଣୀର ପଥର ମାଫିଆମାନେ ସଂଘବଦ୍ଧ ହୋଇ ଦଳିତମାନଙ୍କୁ ମାରଧର କରିଛନ୍ତି । ଦଳିତ ମହିଳାଙ୍କ ସହ ଅସଦାଚରଣ କରୁଛନ୍ତି । ଏସଂପର୍କରେ ଗତ ତା ୨୩/୦୫/୨୦୨୦ରେ ଦଳିତଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଧର୍ମଶାଳା ସାଧାରଣ ପ୍ରଶାସନ ଏହି ପ୍ରସଙ୍ଗରେ ନୀରବ ଦ୍ରଷ୍ଟା ସାଜିଛି । ଏଠାରେ ପ୍ରଶ୍ନ ଉଠୁଛି କି,ପଥର ମାଫିଆ ମାନେ ବେଆଇନ ଭାବେ ରାଜସ୍ବ ଲୁଟି ଚାଲୁ ଥିବା ବେଳେ, ସାଧାରଣ ପ୍ରଶାସନ କାହିଁକି ଚୁପ୍ ବସିଛି? କାହାର ଛତ୍ରଛାୟା ତଳେ ଚାଲିଛି ଏହି ଚୋରା କାରବାର, ଯେଉଁଥିରେ ହାତ ଦେବାକୁ ପୁଲିସ ପ୍ରଶାସନ ଭୟ କରୁଛି?