(ଜଳେଶ୍ୱର /ଅଜିତ ସାହୁ): ଅମ୍ଫାନ ମହାବାତ୍ୟାର ଚାଷ କ୍ଷୟକ୍ଷତିର ସହାୟତା ପାଇଁ ଚାଷୀ ଏକତା ମଞ୍ଚ ଓ ଉପକୂଳ ଭିଟାମାଟି ସୁରକ୍ଷା କମିଟି ଓ ବାଲିଆପାଳ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଗତ ୨୦ ତାରିଖ ମହାବାତ୍ୟା ଅମ୍ପାନରେ ଉତ୍ତର ବାଲେଶ୍ୱରର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକର ହଜାର ହଜାର ହେକ୍ଟରରେ ଚାଷ ହୋଇଥିବା ଧାନ, ମୁଗ, ବିରି, ପାନ, ଚିନା ବାଦାମ ଆଦି ଶସ୍ୟ ବହୁ ମାତ୍ରାରେ ନଷ୍ଟ ହେବା ସହିତ ଅନେକ ଚାଳ ଛପର ଘର ଭାଙ୍ଗି ଧୂଳିସାତ ହୋଇଯାଇଛି। ଯାହା ପାଇଁ ଚାଷୀର ମେରୁଦଣ୍ଡ ଭାଙ୍ଗିବା ସହିତ ଚାଷୀ କୁଳ ହତାଶ ହୋଇପଡିଛନ୍ତି। ସମସ୍ତ ଚାଷୀ ଓ କ୍ଷତିଗ୍ରସ୍ତ ପରିବାର କ୍ଷୟକ୍ଷତିକୁ ଆକଳନ କରି ପର୍ୟ୍ୟାପ୍ତ ପରିମାଣର ସରକାରୀ ସହାୟତା ସହିତ ଆଗାମୀ ଖରିଫ ଚାଷ ପାଇଁ ସମସ୍ତ ସୁବିଧା ସୋଯୋଗ ଦେବାକୁ ବାଲିଆପାଳ ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟସରକାରଙ୍କୁ ଦାବିପତ୍ର ଦେଇଛନ୍ତି।
ଚାଷୀ ଏକତା ମଞ୍ଚ ଓ ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଅରୁଣ ଜେନା,ଅନୁଜ ମହାପାତ୍ର, କୁଶଧୁଜ ଜେନା, ମୃତ୍ୟୁଞ୍ଜୟ ରାଉତ,ଆକବର ସାହା,ଗୋପୀନାଥ ଗୋଙ୍ଗେଇ, ସାର୍ଥକ ମଣ୍ଡଳ ଓ ଧନଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।