ଦଇତାପତି ସେବାୟତଙ୍କର ହେବ କରୋନା ପରୀକ୍ଷା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମହାମାରୀ କରୋନା ପାଇଁ ଚଳିତ ବର୍ଷ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା କମ୍ ଦଇତାପତି ସେବାୟତରେ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଏଣୁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡି ପାଇଁ ୧୫୦ ଜଣ ଦଇତାପତି ସେବାୟତ ରହିବେ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସେବାରେ ୧୫୦ ଜଣ ଦଇତାପତି ସେବାୟତ ନିୟୋଜିତ ହେବେ। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ ୫୦ ଜଣ ସେବକ ରହିବେ, ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଦଇତାପତି ରହିବେ । ବର୍ତମାନ ସମୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ ଜରୁରୀ । ଏହାଛଡା ସ୍ନାନ ଯାତ୍ରାରେ ଗରାବଡୁ ସେବାୟତଙ୍କ ମୁଖ୍ୟ ଭୂମିକା ରହିଛି । ସେଥିପାଇଁ ସେମାନଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ବୋଲି ପୂର୍ବରୁ ସୂଚନା ଦିଆସରିଛି । ଆଉ ଏବେ ଦଇତାପତି ସେବାୟତଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ । ଏଥିପାଇଁ ୨୭ ଓ ୨୮ ତାରିଖରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ସ୍ୱାବ ସଂଗ୍ରହ କରାଯିବ । ପ୍ରାୟ ୧୫୦ ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।