(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମେଁ ୨୦ ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆହୁରୀ ୬ ହଜାର ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଏ ନେଇ ବୋର୍ଡ ସଂମ୍ପାଦକ ନିହାର ମହାନ୍ତି ସୂଚନା ଦେଇଛନ୍ତି । ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ । ହେଲେ ଏବେ ଆଉ ୬ ହଜାର ଶିକ୍ଷକ ଖାତା ଦେଖିବେ । ମୋଟ ୨୩ ହଜାର ଶିକ୍ଷକ ଖାତା ଦେଖିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଖାତା ଦେଖା ସମୟରେ କୋରୋନା ଭୂତାଣୁ ପାଇଁ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ବୋଲି କୁହାଯାଇଛି । ସାମାଜିକ ଦୂରତ୍ୱ ବଜାୟ ପାଇଁ ୩ଟି ଫେଜ୍ରେ ହେବ ଖାତାଦେଖା । ବିଭିନ୍ନ ବିଷୟକୁ ନେଇ ୩ଟି ଫେଜ୍, ୩ଟି ସମୟ କରାଯାଇଛି । ସଂପୃକ୍ତ ଶିକ୍ଷକ ଧାର୍ୟ୍ୟ ବିଷୟ ପାଇଁ ଉଦ୍ଦିଷ୍ଟ ସମୟରେ ଖାତା ଦେଖିବେ। ୨୦ ଦିନ ଯାଏ ଖାତାଦେଖା ପାଇଁ ଯୋଜନା ରହିଛି । କୌଣସି କଣ୍ଟେନମେଣ୍ଟ ଜୋନ୍ରେ ଖାତାଦେଖା କେନ୍ଦ୍ର ନାହିଁ । ଯେଉଁ ଶିକ୍ଷକ ଯେଉଁ କେନ୍ଦ୍ରରେ ରିପୋର୍ଟ କରିଥିଲେ, ସେଇଠି ଖାତା ଦେଖିବେ । ତେବେ ଧାର୍ୟ୍ୟ ସମୟରୁ ୨ରୁ ୪ ଦିନ ଖାତାଦେଖା ବଢ଼ିପାରେ ବୋଲି ସୂଚନା ମିଳିଛି । ଅଧିକ ଶିକ୍ଷକ ନିୟୋଜିତ ହେଉଥିବାରୁ ଖାତା ଦେଖା ଶୀଘ୍ର ମଧ୍ୟ ସରିପାରେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।