ବାଜିଲା ନିର୍ବାଚନ ବିଗୁଲ, ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷିତ

(ରିପୋଟରସ ଟୁଡ଼େ): ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ୍‍ ସମେତ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ ଆୟୋଗ। ଆସନ୍ତା ଡିସେମ୍ବର ମାସରେ ଏହି ଚୋରୋଟି ରାଜ୍ୟର ବିଧାନ ସଭା କାର୍ଯ୍ୟକାଳ ପୂରଣ ହେବ । ନଭେମ୍ବର ୧୨ ତାରିଖରୁ ଛତିଶଗଡ଼ର ପ୍ରଥମ ପର୍ୟ୍ୟାୟ ମତଦାନ ସହିତ ଆରମ୍ଭ ହେବାକୁ ଯାଉଥିବା ନିର୍ବାଚନ ପ୍ରକ୍ରିୟା ଡିସେମ୍ବର ୧୧ରେ ଭୋଟ ଗଣତି ପରେ ସମାପ୍ତ ହେବ। ଶନିବାରଠାରୁ ଏହି ୫ ରାଜ୍ୟରେ ନିର୍ବାଚନ ଆଚରଣ ବିଧି କାର୍ୟ୍ୟକାରୀ ହୋଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓମ୍‍ ପ୍ରକାଶ ରାୱତ୍  ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ୍ ଗୋଟିଏ ପର୍ଯ୍ୟାୟରେ ଭୋଟଦାନ ହେବ। ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ। ଛତିଶଗଡ଼ର ୧୮ଟି ବିଧାନସଭା ଆସନ ପାଇଁ ନଭେମ୍ବର ୧୨ ଓ ୭୨ଟି ବିଧାନସଭା ଆସନ ପାଇଁ ୨୦ ତାରିଖରେ ଭୋଟଦାନ ହେବ। ମଧ୍ୟପ୍ରଦେଶ ଓ ମିଜୋରାମ୍ ନଭେମ୍ବର ୨୮ତାରିଖରେ ନିର୍ବାଚନ ହେବ। ରାଜସ୍ଥାନ ଓ ତେଲେଙ୍ଗାନାରେ ଡିସେମ୍ବର ୭ ତାରିଖରେ ନିର୍ବାଚନ ହେବ। ଡିସେମ୍ବର ୧୧ ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ।