(ରିପୋଟର୍ସ ଟୁଡେ):ରାଜ୍ୟରେ ନିର୍ମାଣ କୁସୁମ ଯୋଜନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଜୟଦେବ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାଭାବିକ ମୃତ୍ୟୁକାଳୀନ ସହାୟତାକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତାକୁ ୨ ଲକ୍ଷରୁ ୪ ଲକ୍ଷକୁ ବୃଦ୍ଧି କରିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।
ରାଜ୍ୟ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗ, ଶ୍ରମ ଓ କର୍ମଚାରୀ ଏବଂ ରାଜ୍ୟ ବୀମାର ମିଳିତ ସହଯୋଗରେ ‘ନିର୍ମାଣ କୁସୁମ’ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଦ୍ୱାରା ପଂଜିକୃତ ଶ୍ରମିକଙ୍କ ପୁଅଝିଅଙ୍କ ପାଠପଢା ଖର୍ଚ୍ଚ ବହନ କରିବେ ସରକାର । ସରକାରୀ ଆଇଟିଆଇ ଓ ପଲିଟେକନିକରେ ପାଠପଢିବାକୁ ଶତପ୍ରତିଶତ ସହାୟତା ପ୍ରଦାନ କରାଯିବ। ଆଇଟିଆଇ ପାଇଁ ୨୩, ୬୦୦ ଟଙ୍କା ଓ ଡିପ୍ଲୋମା ପାଇଁ ୨୭,୩୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ।