ପ୍ରବାସୀ ଓଡିଆଙ୍କ ପାଇଁ ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟକୁ ଫେରୁଥିବା ଓଡିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ଗୃହ ନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ପ୍ରବାସୀ ଓଡିଆ ରାଜ୍ୟକୁ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ସେଠାରେ ସେମାନଙ୍କ ଖାଇବା, ରହିବା ସହ ସମସ୍ତ ବ୍ୟବସ୍ଥା ବହନ କରିବେ ସରକାର । ଜଣେ ପ୍ରବାସୀ ୧୪ ଦିନ କ୍ୱାରେଣ୍ଟାଇନରେ ରହିଲେ ଜଣଙ୍କ ପିଛା କେତେ ଖର୍ଚ୍ଚ ହେବ ସେ ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି । ସଫାସୁତୁରା, ସାନିଟାଇଜେସନ, ସୁରକ୍ଷା ବାବଦରେ ଦୈନିକ ଖର୍ଚ ୨ ହଜାର ଟଙ୍କା ଭିଚରେ ରଖାଯିବ । ଟେମ୍ପରାରି ମେଡିକାଲ କ୍ୟାମ୍ପରେ ପ୍ରତ୍ୟକ ବ୍ୟକ୍ତି ଓ ତାଙ୍କ ବାବଦରେ ଖର୍ଚକୁ ରେଜିଷ୍ଟ୍ରାରରେ ଲେଖାଯିବ । କ୍ୱାରେଂଟିନରେ ପ୍ରତି ସାବାଳକଙ୍କ ପାଇଁ ଜଣ ପିଛା ଖାଦ୍ୟ ବାବଦରେ ଖର୍ଚ୍ଚ ହେବ ୧୨୦ ଟଙ୍କା ଓ ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଖାଦ୍ୟ ବାବଦରେ ୧୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରତି ବ୍ୟକ୍ତିଙ୍କ ସ୍ୱଛତା ରକ୍ଷା ବାବାଦରେ ୩୦୦ ଟଙ୍କା । ପ୍ରତ୍ୟକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଜଳଖିଆ , ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସଂଧ୍ୟାରେ ଚା ଓ ବିସ୍କିଟ୍ ଏବଂ ସାଢେ ୭ଟାରୁ ୯ଟା ମଧ୍ୟରେ ରାତ୍ରି ଭୋଜନ ଯୋଗାଇ ଦିଆଯିବ କ୍ୱାରେଂଟିନ୍ କ୍ୟାମ୍ପରେ । ସେହିପରି କ୍ୱାରେଂଟିନ କ୍ୟାମ୍ପରେ ସମସ୍ତଙ୍କୁ ଦାନ୍ତ ଘଷା ବ୍ରସ ଠାରୁ ଆରମ୍ଭ କରି ସାବୁନ, ତେଲ, ମାସ୍କ , ସାନିଟାଇଜର, ମଗ , ବାଲଟି ପ୍ରଭୃତି ଯୋଗାଇ ଦିଆଯିବ । ପ୍ରତ୍ୟକ ବେଡ ପାଇଁ ଦୁଇଟି ବେଡସିଟ୍ ଓ ଦୁଇଟି ତକିଆ ରହିବ । ପ୍ରତ୍ୟକ ଜିଲ୍ଲା ଏହାର ସମସ୍ତ ତଥ୍ୟକୁ ୱେବସାଇଟରେ ଅପଲୋଡ୍ କରିବେ ବୋଲି କହିଛନ୍ତି ସରକାର । ପ୍ରତ୍ୟକ ଦିନ ଏସବୁ କାମର ତଦାରଖ କରାଯିବ ବୋଲି କହିଛନ୍ତି ସରକାର ।