କରୋନା ମୁକାବିଲା ପାଇଁ ଟୀକା ପ୍ରସ୍ତୁତ

(ଅନୁସୁୟା ସାମଲ୍): ମହାମାରୀ କରୋନା ଭାଇରସ ପାଇଁ ଏବେ ସାରା ଦେଶ ଚିନ୍ତିତ। କରୋନାର ଚିକିତ୍ସା ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି।
ତେବେ ଏହାରି ମଧ୍ୟରେ କରୋନା ଭାଇରସର ମୁକାବିଲା କରିବା ପାଇଁ ଟୀକାର ପ୍ରସ୍ତୁତ ହୋଇଛି ବୋଲି ଆମେରିକାର ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ଟୀକା ମାଧ୍ୟମରେ କରୋନା ଭାଇରସ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସେମାନେ କହିଛନ୍ତି ।

ୟୁନିଭରସିଟି ଅଫ୍ ପିଟ୍ସବର୍ଗ ସ୍କୁଲ ଅଫ୍ ମେଡିସିନର ବୈଜ୍ଞାନିକଙ୍କ କହିବା ମୁତାବକ, ସେମାନେ ଅନ୍ୟ ଦେଶ ଅପେକ୍ଷା କୋଭିଡ୍-୧୯ କରୋନା ଭାଇରସ ଟୀକା ବିକଶିତ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଦ୍ରିଆ ଗମ୍ବୋଟ କହିଛନ୍ତି ଯେ, କରୋନା ଭାଇରସକୁ କିପରି ମାରିବୁ ତାହା ଆମେ ଜାଣିପାରିଛୁ । ତାକୁ କିପରି ପରାସ୍ତ କରିହେବ ଜାଣିବାକୁ ମୂଷା ଉପରେ ଆମେ ଟୀକା ଦେଇ ଟେଷ୍ଟ କଲୁ । ଟେଷ୍ଟର ଫଳାଫଳ ପଜେଟିଭ୍ ଥିଲା । ଏହି ଟୀକାର ନାମ ପିଟଗୋଭାକ ରଖିଛୁ । ଏହି ଟୀକା କାରଣରୁ ମୂଷା ଶରୀରରେ ଏପରି ଆଣ୍ଟିବଡି ଉତ୍ପନ ହୋଇଛି, ଯାହା କରୋନା ଭାଇରସକୁ ରୋକିବାରେ ବେଶ ପ୍ରଭାବଶାଳୀ ହେବ । ଖୁବଶୀଘ୍ର ଆମେ ଏହାକୁ ମଣିଷ ଉପରେ ପରୀକ୍ଷା କରିବୁ ।