ମୁନ୍ଦାଏ ପାଣି ପାଇଁ ଡ଼ହଳ ବିକଳ

(ସନ୍ତୋଷ କୁମାର ଲମତା)ରାୟଗଡ଼ା: ଗ୍ରୀଷ୍ମ ପ୍ରବାହର ତାତି ବଢୁଥିବା ବେଳେ ମୁନ୍ଦାଏ ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି ଗିରିଆଗୁଡ଼ା ଗ୍ରାମବାସୀ। କଲ୍ୟାଣସିଂହପୁର ଗ୍ରାମ ପଂଚାୟତ ଏବଂ ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ୨କିମି ଦୂରରେ ଥିବା ଏହି ଗ୍ରାମର ତଳସାହିରେ ୧୦ ବର୍ଷ ପୂର୍ବେ ଏକ ନଳକୂପ ଥିଲା । ତାହା କିଛି ଦିନ ଚାଲିବା ପରେ ତାହା ଅଚଳ ହୋଇପଡ଼ିଥିଲା। ସେହିଦିନ ଠାରୁ ପ୍ରାୟ ୭ବର୍ଷରୁ ଉର୍ଦ୍ଧ ହେବ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ପଡ଼ି ରହିଛି। ଯାହା ଫଳରେ ଲୋକେ ଗ୍ରାମ ପାଖରେ ଥିବା ଝରଣାରେ ବାଉଁଶ ସାହାର୍ଯ୍ୟରେ ପାଣି ବାହାର କରି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏହି ନାଳ ପାଣିରେ ଗାଈ,ମଇଁଷି,ଗାଧୁଆ ସହିତ ଲୋକମାନେ ମଧ୍ୟ ଗଧୋଇବା ସହିତ ଶୌଚ ପାଇଁ ଯାଇଥାନ୍ତି। ଯାହା ଫଳରେ ଏହି ପାଣି ଲୋକେ ବ୍ୟବହାର କରୁଥିବାରୁ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଗ୍ରାମର ତଳ ସାହିରେ ୧୦୦ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଦୁଃଖର ବିଷୟ ଆଜି ଯାଏ କୌଣସି ରାଜନେତା ବା ସରକାରୀ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ସୁଧା ନଳକୂପଟିଏ ମଧ୍ୟ ଯୋଗାଇ ଦିଆଯାଇପାରୁନାହିଁ। ସରକାର ପାନୀୟ ଜଳ ଯୋଗାଣ ନିମନ୍ତେ ଗାଁ ଗାଁକୁ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଡ଼ିଣ୍ଡିମ ପିଟୁଥିବା ବେଳେ ତାହାର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି ।ତୁରନ୍ତ ଏହି ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ କରିବା ନିମନ୍ତେ ୱାର୍ଡ଼ ସଭ୍ୟ ମାଣ୍ଡିକା ମାଜିବାଣୀ,ପତି ହୁଇକା, ହରି ହୁଇକା, ବିଡ଼ିକା ବୁଦ୍ରା,ହୁଇକା ସାଇବୁ ପ୍ରମୁଖ ଦାବି କରିଛନ୍ତି।