ନୂଆଦିଲ୍ଲୀ: ଆକାଶରେ ଗର୍ଜି ଶତ୍ରୁକୁ ଭୟବୀତ କରିବାର କଳା ଯାହା ପାଖେ ଥାଏ ସେହି ସୁରକ୍ଷା କବଚର ନାଁ ହେଉଛି ବାୟୁସେନା । ଆଜି ବାୟୁସେନା ଦିବସ । ୯୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବାୟୁସେନା । ଏହି ଅବସରରେ ବାୟୁସେନାର ସାହସ, ବଳିଦାନ, ବୀରତ୍ବର ଗାଥାକୁ ପ୍ରଦର୍ଶିତ କରାଯାଉଛି। ବାୟୁସେନା ଦିବସ ଅବସରରେ ଗାଜିଆବାଦର ହିଣ୍ଡନ ଏୟାର ବେସରେ ଚିତ୍ତାକର୍ଷକ ପରେଡ ପ୍ରଦର୍ଶିତ ହେଉଛି । ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସଲ ଅମରପ୍ରୀତ ସିଂ ଏଥିରେ ଯୋଗ ଦେଇଛନ୍ତି ।

ପ୍ରତିବର୍ଷ ୮ ଅକ୍ଟୋବରରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଲା ଭାରତୀୟ ବାୟୁସେନାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା। ଏହି ଦିନ ଭାରତୀୟ ବାୟୁସେନାର ସେହି ସମସ୍ତ ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ, ଯେଉଁମାନେ ଦେଶର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଭାରତୀୟ ବାୟୁସେନା ହେଉଛି ବିଶ୍ୱର ସବୁଠୁ ବଡ଼ ବାୟୁସେନା।

୮ ଅକ୍ଟୋବର ୧୯୩୨ରେ ବ୍ରିଟେନର ରୟାଲ ଏୟାର ଫୋର୍ସର ଏକ ସହାୟକ କମ୍ପାନୀ ଭାବରେ ଭାରତୀୟ ବାୟୁସେନା ଗଠନ କରାଯାଇଥିଲା। ଧୀରେ ଧୀରେ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କଲା ଏବଂ ଅଳ୍ପ ସମୟ ମଧ୍ୟରେ ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁସେନା ମଧ୍ୟରେ ନାମିତ କରାଗଲା। ଭାରତୀୟ ବାୟୁସେନା ଆନୁଷ୍ଠାନିକ ଭାବରେ ୮ ଅକ୍ଟୋବର ୧୯୩୨ରେ ପ୍ରତିଷ୍ଠିତ ହୋଇଥିଲା ଏବଂ ସେଥିପାଇଁ ଏହି ଦିନକୁ ପ୍ରତିବର୍ଷ ଭାରତୀୟ ବାୟୁସେନାର ବାର୍ଷିକୀ ଭାବରେ ପାଳନ କରାଯାଏ। ଭାରତରେ ସ୍ଥଳ ଯୁଦ୍ଧ ବାହିନୀକୁ ସମର୍ଥନ କରିବା ପାଇଁ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ।