Bhubaneswar: ମନୁଷ୍ୟ ଜୀବନ କେତେ ଅନିଶ୍ଚିତ, ତାହା ପୁନର୍ବାର ପ୍ରମାଣ କରିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମହାରାଷ୍ଟ୍ରରେ ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୯ ଜଣଙ୍କ ଜୀବନ ନିମିଷକେ ନିଭିଯାଇଛି।
ନାସିକ ଜିଲ୍ଲାର ଡିଣ୍ଡୋରି ନିକଟରେ ଏହି ଭୟାବହ ଘଟଣା ଘଟିଛି। ମୃତକମାନେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ, ସେମାନଙ୍କ ମଧ୍ୟରେ ୬ ଜଣ ପିଲା ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ ସମୟରେ ପରିବାରଟି ଏକ କୋଚିଂ ସେଣ୍ଟର ଆୟୋଜିତ କାର୍ଯ୍ୟକ୍ରମରୁ ଫେରୁଥିଲେ। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା ଏକ ଖୋଲା କୂଅ ଭିତରକୁ ଖସି ପଡ଼ିଥିଲା।
ଗାଡ଼ିଟି ଚଳାଉଥିବା ସୁନୀଲ ଦତ୍ତାତ୍ରେୟ ଦରଗୋଡେ (୩୪) ସହ ତାଙ୍କ ସ୍ତ୍ରୀ ରେଶମା (୩୦), ଝିଅ ରାଖି (୧୦), ଝିଆରୀ ମାଧୁରୀ (୧୩) ଓ ଶ୍ରାବଣୀ (୧୧), ଆଶା ଅନିଲ୍ ଦରଗୋଡେ (୩୨), ତାଙ୍କ ପୁଅ ଶ୍ରେୟାଶ (୧୧), ଝିଅ ସୃଷ୍ଟି (୧୪) ଓ ଝିଆରୀ ସମୃଦ୍ଧି (୭) ଗାଡ଼ିରେ ଥିଲେ। ସମସ୍ତଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ପୋଲିସ, ଅଗ୍ନିଶମ ବାହିନୀ ଓ NDRF ଟିମ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କୂଅରେ ପାଣି ଥିବାରୁ ଉଦ୍ଧାର କାମ ବହୁତ କଷ୍ଟସାଧ୍ୟ ହୋଇଥିଲା। କ୍ରେନ୍ ସାହାଯ୍ୟରେ ଗାଡ଼ିଟିକୁ ବାହାର କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଥିଲା।
ପୋଲିସ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି।