ରବିବାର କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ ୨୦୨୬ ଶୁଭାରମ୍ଭ ହୋଇ ଯାଇଛି । କ୍ରାଇମବ୍ରାଞ୍ଚ ମୁଖ୍ୟ ବିନୟତୋଷ ମିଶ୍ର ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିବା ସହ ଏହି ଚାମ୍ପିୟନସିପ ଓଡିଶା ପୋଲିସର ଶୃଙ୍ଖଳା, ସଂଯମତା ଓ ସହନଶୀଳତାର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ରାଜ୍ୟସ୍ତରୀୟ କ୍ରୀଡା ମାଧ୍ୟମରେ ଓଡ଼ିଶା ପୋଲିସର କାର୍ଯ୍ୟରତ କର୍ମଚାରୀମାନେ ନିଜ ଶାରୀରିକ ଓ ମାନସିକ ଦକ୍ଷତାକୁ ପ୍ରତିପାଦିତ କରିବାର ଏକ ସୁଯୋଗ ବୋଲି କହିଥିଲେ। ଏହାସହ ଚଳିତବର୍ଷ ପ୍ରତିଯୋଗିତାରେ ମହିଳା କ୍ରୀଡାବିତଙ୍କର ସଂଖ୍ୟା ପୂର୍ବ ଅପେକ୍ଷା ବୃଦ୍ଧିପାଉଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ବିଗତ ଦିନରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଜାତୀୟ ଓ ଆନ୍ତର୍ଜାତୀୟ ପୋଲିସ କ୍ରୀଡା ପ୍ରତିଯୋଗିତାରେ ଅସାଧାରଣ ସଫଳତା ହାସଲ କରି ରାଜ୍ୟ ତଥା ପୋଲିସ ବିଭାଗର ଗୌରବ ବୃଦ୍ଧି କରିଛନ୍ତି । ଏହି ଚାମ୍ପିୟନସିପରୁ ସଫଳ ପ୍ରତିଯୋଗୀ ମାନେ ସର୍ବଭାରତୀୟ ପୋଲିସ ଅଥଲେଟିକ୍ ଚାମ୍ପିୟନସିପ ସହିତ ଅନ୍ୟାନ୍ୟ ବଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶା ପୋଲିସକୁ ଗର୍ବିତ କରିବେ ବୋଲି ବିନୟତୋଷ ମିଶ୍ର ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଧନ୍ୟବାଦ ଜଣାଇଥିଲେ।