ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମୃତ, ୨୦ ଆହତ

ପାକିସ୍ତାନ ସିନ୍ଧୁ ପ୍ରାନ୍ତରେ ଦ୍ରୁତଗତିରେ ଆସୁଥିବା ଦୁଇଟି ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଇଦ୍ ପର ଦିନ ଅର୍ଥାତ ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଯାତ୍ରୀବାହୀ ବସ ଲାହୋରରୁ କରାଚୀ ଆସୁଥିବାବେଳେ ଅନ୍ୟ ଏକ ବସ କରାଚୀରୁ ଯାଉଥିଲା, ତେବେ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା ।

ଇଦ୍ ଛୁଟି ସମୟରେ ନୌଶେରା ଫିରୋଜ ନିକଟସ୍ଥ ମୋରୋ ଠାରେ ଭୟଙ୍କର ଦୁର୍ଘଟଣା ହୋଇଥିଲା ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଆହତ ହୋଇଥିବା ୨୦ ଜଣଙ୍କୁ ନଓ୍ଵାବଶାହ ଏବଂ ନୌଶେରା ଫିରୋଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାକିସ୍ତାନରେ ଦୁର୍ଘଟଣା ଘଟିବା ଅତି ସାଧାରଣ କଥା ହୋଇଗଲାଣି । ବାରମ୍ବାର ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଅତ୍ୟଧିକ ଖରାପ ସଡ଼କ, ରକ୍ଷଣାବେକ୍ଷଣର ଅଭାବ ଏବଂ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ସଡ଼କ ଦୁର୍ଘଟଣାମାନ ଘଟିବାରେ ଲାଗିଛି । ଯାତ୍ରୀବାହୀ ବସରେ କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ଧରି ବସ ଯାତ୍ରା କରିଥାଏ ଫଳରେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥାଏ ।