ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ କୁ ବନ୍ଦ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗଙ୍କ ସହଯୋଗରେ ଚାଲୁ ରହିଛି ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ୱନ୍ଧୀୟ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ । ଆଜି ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ କଳାପଥର ପଂଚାୟତରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ମୋଟ ୬୦ ପଞ୍ଚାୟତ ଏବଂ ୧୪ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିଛନ୍ତି । ଆଜି ସୁଦ୍ଧା ଜିଲ୍ଲାର ୭୬୭ ଗୋଟି ଗ୍ରାମ ଓ ଜିଲ୍ଲାର ୬୦ ଟି ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି ।
ଏହି କାର୍ୟ୍ୟକ୍ରମକୁ ଆହୁରି ବ୍ୟାପକ ତଥା ଲୋକାଭିମୁଖୀ କରିବା ନିମନ୍ତେ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ଓ ଜନ ସାଧାରଣଙ୍କୁ ପରାମର୍ଶ ଦେବା ସହ ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଦଣ୍ଡିତ କରାଯିବା ଉପରେ ଗୁରୁତ୍ଵାରୋପ କରିଛନ୍ତି ଜିଲ୍ଲାପାଳ । ଏଥିସହ ସମସ୍ତଙ୍କୁ ବାଲ୍ୟ ବିବାହ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।