ଭାରତ ମହାକାଶରେ ସ୍ଥାପନ କରିବ ଆଉ ୬ଟି କୃତ୍ରିମ ଉପଗ୍ରହ

ନୂଆଦିଲ୍ଲୀ: ଭାରତ ମହାକାଶରେ ସ୍ଥାପନ କରିବ ଆଉ ୬ଟି କୃତ୍ରିମ ଉପଗ୍ରହ । ଭାରତୀୟ ସୁରକ୍ଷା ସଂସ୍ଥାର ଆବଶ୍ୟକତା ଅନୁସାରେ ଏହି କୃତ୍ରିମ ଉପଗ୍ରହ ମହାକାଶରେ ସ୍ଥାପନ ହେବ । ଏଥିନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୁଖ୍ୟତଃ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଓ ଚୀନ ସେନାର ଗତିବିଧି ଉପରେ ନଜର ରଖିବ ଏହି ଉପଗ୍ରହ।
ଚୀନ ସେନା ଏଲଏସି ନିକଟସ୍ଥ ସିନଜିଆଙ୍ଗ କ୍ଷେତ୍ରରେ ଅଭ୍ୟାସ ନାମରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ୪୦ ହଜାରରୁ ଅଧିକ ସେନା ଏକାଠି କରିବା ସୂଚନା ମିଳିବା ପରେ ଭାରତୀୟ ସୁରକ୍ଷା କର୍ତ୍ତୃପକ୍ଷ କୃତ୍ରିମ ଉପଗ୍ରହର ଆବଶ୍ୟକତା ଅନୁଭବ କରିଛନ୍ତି । ଖବର ସରବରାହ ସଂସ୍ଥା ଏଏନଆଇରେ ପ୍ରକାଶିତ ସୂଚନା ଅନୁସାରେ ଭାରତୀୟ ଅଞ୍ଚଳ ଓ ଏଲଏସିରେ ଚୀନ ସେନାର ଗତିବିଧି ଉପରେ ନଜର ରଖିବା ପାଇଁ ସାଟେଲାଇଟ୍ ବା କୃତ୍ରିମ ଉପଗ୍ରହର ଆବଶ୍ୟକତା ଥିବା ଜଣେ ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି । ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଟେଲାଇଟରୁ ହାଇ ରିଜୁଲେସନ କ୍ଷମତା ସମ୍ପନ୍ନ ସେନ୍ସର ଓ କ୍ୟାମେରା ଜରିଆରେ ଅତି ଛୋଟଛୋଟ ଗତିବିଧିକୁ ମଧ୍ୟ ରେକର୍ଡ଼ କରାଯାଇ ପାରିବ ଓ ଏପରିକି ଜଣେ ବ୍ୟକ୍ତିର ଯାତାୟତ ଉପରେ ଦୃଷ୍ଟି ରଖିବାକୁ ସକ୍ଷମ ହୋଇ ପାରିବ ।