କଟକ ଜିଲ୍ଲାରେ 5T ସଚିବ : ଗ୍ରାଉଣ୍ଡ ଜିରୋରେ କରୁଛନ୍ତି ସମୀକ୍ଷା

0

କଟକ: ଦୁଇ ଦିନିଆ ଗସ୍ତରେ ଅଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଆଜି ଦ୍ୱିତୀୟ ଦିନ ଆରମ୍ଭ କରିଛନ୍ତି ମାଆ ଚର୍ଚ୍ଚିକା ଦର୍ଶନରୁ । ତାପରେ ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିରର ବିକାଶ କେମିତି ହେବ, ସେ ନେଇ ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଛନ୍ତି ୫ଟି ସଚିବ। ମାଆ ଚର୍ଚ୍ଚିକାଙ୍କ ସେବାୟତ ମାନେ ୫ଟି ସଚିବଙ୍କୁ ମନ୍ଦିରର ବିକାଶ, ଯାତ୍ରୀ ନିବାସ, ଶୌଚାଳୟ, ରେଣୁକା ନଦୀର ପୁନଃରୁଦ୍ଧାର କରିବାକୁ ଦାବି ଜଣାଇଲେ। ଏହା ସହ ମନ୍ଦିର ପାଖର ମୁଖ୍ୟ ସମସ୍ୟା ଯାହା ପାର୍କିଂ ଅବ୍ୟବସ୍ଥା, ତାକୁ କିପରି ବ୍ୟବସ୍ଥିତ କରି ହେବ, ସେ ଦିଗରେ ମଧ୍ୟ ଅବଗତ କରିଛନ୍ତି ସେବାୟତ। ସେବାୟତଙ୍କ ପାଖରୁ ସମସ୍ତ ଦାବି ଶୁଣିବା ପରେ ୫ଟି ସଚିବ ଏସବୁ ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି। ଏନେଇ ଜିଲ୍ଲାପ୍ରଶାସନ ଏବଂ ମନ୍ଦିର ସେବାୟତ ଖୁବ୍‌ ଶୀଘ୍ର ଏକ ମାଷ୍ଟରପ୍ଲାନ ଦେବାକୁ ସେ କହିଛନ୍ତି।

୫ଟି ସଚିବ ଭିକେ ପାଣ୍ଡିଆନ ମାଆ ଚର୍ଚ୍ଚିକାଙ୍କୁ ଦର୍ଶନ କରିବା ପରେ ବାଙ୍କୀ କଚେରୀ ପଡିଆର ସାଧାରଣ ସଭାରେ ଯୋଗଦେଇଥିଲେ। ଏହି ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ କହିଛନ୍ତି ସକାଳେ ଏତେ ସଂଖ୍ୟାରେ ଆସିଥିବାରୁ ବହୁତ ବହୁତ ଧନ୍ୟବାଦ। ଆପଣ ମାନଙ୍କ ସ୍ନେହ ଓ ଶ୍ରଦ୍ଧା ପାଇଁ ମୋ ପାଖରେ ଭାଷା ନାହିଁ।