ସରକାରଙ୍କୁ ଜଗିବେ ନବୀନଙ୍କ ଛାୟା ମନ୍ତ୍ରୀ ମଣ୍ଡଳ, ୫୦ ବିଧାୟକ ଜଗିବେ ୪୦ ବିଭାଗ

ବିରୋଧୀ ଦଳର ବ୍ରିଟେନ ମଡେଲ, ୫୦ ବିଧାୟକଙ୍କୁ ବିଭାଗ ବାଣ୍ଟିଲା ବିରୋଧୀ ବିଜେଡି | ନବୀନ ରଖିନାହାନ୍ତି କୌଣସି ବିଭାଗ | ବ୍ରିଟେନ ଶାସନ ବ୍ୟବସ୍ଥା ଆପଣାଇଲା ବିଜେଡି | ପ୍ରତି ବିଧାୟକ ୧ ରୁ ୨ ବିଭାଗ ଉପରେ ନଜର ରଖିବେ | ବିଜେଡିକୁ କଟାକ୍ଷ କଲା ବିଜେପି, କ୍ଷମତାରୁ ବାହାରି ଯାଇନି କ୍ଷମତା ଲୋଭ | ବ୍ରିଟେନ ମଡେଲକୁ ନେଇ ତେଜିଲା ରାଜନୀତି |

ଭବନେଶ୍ୱର : ବିରୋଧୀ ଦଳ ପାଇଁ ନୂଆ ମଡେଲ ଆଣିଲେ ନବୀନ | ରାଜ୍ୟରେ ବିଜେପି ସରକାରକୁ ଜଗିବା ପାଇଁ ନବୀନ ଗଢିଲେ ଛାୟା ମନ୍ତ୍ରୀ ମଣ୍ଡଳ | ଆସନ୍ତା 22 ତାରିଖରେ ଆରମ୍ବ ହେବାକୁ ଯାଉଛି ବିଧାନସଭା | ଏହା ପୂର୍ବରୁ ଦଳର ୫୦ ବିଧାୟକଙ୍କୁ ବାଣ୍ଟିଛନ୍ତି ସରକାରଙ୍କ ବିଭିନ୍ନ ବିଭାଗ। ବିଧାୟକମାନେ ଏହି ବିଭାଗ ଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ, ଯୋଜନା ସହ ଟିକିନିଖି ଦିଗ ଉପରେ କଡ଼ା ନଜର ରଖିବେ। ଆବଶ୍ୟକତା ଦେଖି ବିଜେଡି ସରକାରଙ୍କୁ ପରାମର୍ଶ ଦେବ, ପୁଣି କେତେବେଳେ ସରକାରଙ୍କୁ ଘେରିବେ ଉଭୟ ବିଧାନସଭା ଭିତରେ ଓ ବାହାରେ। ବ୍ରିଟେନର ଶାସନ ବ୍ୟବସ୍ଥାରେ ବିରୋଧୀ ଦଳର ଛାୟା ମନ୍ତ୍ରିମଣ୍ଡଳ, ଛାୟା ପ୍ରଧାନମନ୍ତ୍ରୀ ଭଳି ବ୍ୟବସ୍ଥା ଓ ପରମ୍ପରା ରହିଛି। ପ୍ରଥମ କରି ଏଭଳି ବ୍ୟବସ୍ଥାକୁ ଓଡ଼ିଶାରେ ଲାଗୁ କରିଛନ୍ତି ନବୀନ |

୨୭ ବର୍ଷର ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ନବୀନ। ପ୍ରତି ବିଧାୟକ ୧/୨ଟି ଲେଖାଏଁ ବିଭାଗ ଉପରେ ନଜର ରଖିବେ। ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ଘେରିବାକୁ ନବୀନ ଏମିତି ଏକ ମଡେଲ୍ ଆଣିଛନ୍ତି। ପୂର୍ବରୁ ଓଡ଼ିଶା ଇତିହାସରେ କେବେ କୌଣସି ବିରୋଧୀ ଦଳ ଏଭଳି ରାଜନୀତି କରିଥିବା ଦେଖିବାକୁ ମିଳିନଥିଲା। ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ପ୍ରମିଳା ମଲ୍ଟି କଙ୍କୁ ପଞ୍ଚାୟତିରାଜ, ପାନୀୟଜଳ ଓ ସଂସଦୀୟ ବ୍ୟାପାର, ବଦ୍ରିନାରାୟଣ ପାତ୍ର ଓ ମନୋରମା ମହାତିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅଶ୍ୱିନୀ ପାତ୍ରଙ୍କୁ ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ବୟନ, ପ୍ରତାପ କେଶରୀ ଦେବଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅରୁଣ ସାହୁଙ୍କୁ ଜଳ ସମ୍ପଦ ବିଭାଗ ଦାୟିତ୍ଵ ଦେଇଛନ୍ତି ନବୀନ। ସେପଟେ ଛାୟା ସରକାର ଷ୍ଟ୍ରାଟେଜିରେ ବିଜେଡି ଦଳୀୟ ବିଧାୟକଙ୍କୁ ବିଭାଗ ବଣ୍ଟନ କରିବାକୁ ନେଇ ସମାଲୋଚନା କରିଛି ବିଜେପି ।

ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ କଟାକ୍ଷ କରି କହିଛନ୍ତି, ଲୋକେ ତାଙ୍କୁ କ୍ଷମତାରୁ ବାହାର କରିସାରିଛନ୍ତି ତଥାପି ସେମାନେ ଭାବୁଛନ୍ତି ଆଜି ସରକାରରେ ଅଛନ୍ତି । ସରକାର ବିଭାଗ ବଣ୍ଟନ କରନ୍ତି ବିରୋଧୀ ଦଳ ନୁହେଁ, ଲୋକେ ଭୁଲ ଠିକ ନିର୍ଦ୍ଧାରଣ କରନ୍ତି । ବିରୋଧୀ ଦଳ ଯଦି କ୍ଷମତାରେ ରହିବା ପାଇଁ ଏତେ ବ୍ୟାକୁଳ ତେବେ ନିର୍ବାଚନ ପର୍ୟ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ବାବୁ ସିଂ ।ଏକାମ୍ର ବିଧାୟକ କହିଛନ୍ତି, ଏବେ ବିରୋଧୀ ଦଳରେ ଥିବା ବିଜେଡିର ଯେହେତୁ ସରକାରରେ ରହିବାର ହ୍ୟାଙ୍ଗ ଓଭର ଯାଇନି ସେଥିପାଇଁ ଦଳ ପକ୍ଷରୁ ଏଭଳି ବିଭାଗ ବଣ୍ଟନର କରାଯାଇଛି । ସରକାରର ହ୍ୟାଙ୍ଗ ଓଭରରୁ ଦୁରେଇ ରୁହନ୍ତୁ । ଜନସାଧାରଣ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ସରକାର ପୂରା କରିବେ ।