ପୋଲିସ ହାତରେ ୫ ଦୁର୍ଦ୍ଦାନ୍ତ ଅପରାଧୀ

ହିଞ୍ଜିଳି(ରଜନୀ କାନ୍ତ ପାତ୍ର): ବ୍ରହ୍ମପୁର ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଗତ କିଛି ଦିନ ହେବ କଥା କଥାରେ ଖଣ୍ଡା ବୁଲୁଛି । ଆଗକୁ ପାର୍ବଣ ପର୍ବ ଆସୁଥିବାରୁ ପୋଲିସ ପାଇଁ ଏହା ଏକ ଚାଲେଞ୍ଜ ସୃଷ୍ଟି ହୋଇଛି । ପୋଲିସ ବିଭିନ୍ନ ଘଟଣାରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ଗଣ୍ଡଗୋଳ, ରାହାଜାନି କମିବାରେ ନାଁ ଧରୁନି । ଗତ ରାତିରେ ବ୍ରହ୍ମପୁର ଉତ୍ତରାମୁଖୀ ସାହି ତ୍ରିନାଥ ମନ୍ଦିରରେ ବସି ଡକାୟତି ଯୋଜନା କରୁଥିବା ୫ଜଣଙ୍କୁ କାବୁ କରିଛି ବଡ଼ ବଜାର ଥାନା ପୋଲିସ । ଗିରଫ ଯୁବକ ମାନେ ହେଉଛନ୍ତି ଲକ୍ଷ୍ମୀ ନୃସିଂହ ସାହିର ବସେଠି ଓରଫ ବାଲବଢା , ଜଗବନ୍ଧୁ ଡ଼ା. ସାହିର ରାଜେଶ ନାୟକ ଓରଫ ବଣ୍ଡା , ଏନ୍.ତୋଫାନ ରେଡ଼ି ଓରଫ ଯୋଶବନ୍ତ, ଗ୍ରାମ ଦେବୀ ସାହିର ସତ୍ୟବାନ ଦାସ ଓରଫ ନାକ୍ରା, ପନ୍ଦରା ସାହିର କାଳିଆ ସାହୁ ଓରଫ ସାଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପ୍ରଶାନ୍ତି ଭୂପତି ସୂଚନା ଦେଇଛନ୍ତି । ବଡ଼ ବଜର ଥାନା ଏଆଇ ପ୍ରଫୁଲ୍ଲ କୁମାର ସାହୁ ଟିମ ସହ ଶୁକ୍ରବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ କିଛି ଯୁବକ ଉତ୍ତରାମୁଖୀ ସାହି ତ୍ରିନାଥ ମନ୍ଦିରରେ ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିବାର ସୂଚନା ପାଇଥିଲେ । ପୋଲିସ ସେଠାରେ ଚଢ଼ଉ କରି ସେମାନଙ୍କ ଠାରୁ ୩ ଖଣ୍ଡା ଓ ୫ ବୋମା ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରଯାଇଥିବା ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।