ମାଲକାନଗିରି ସହର ତଥା ଏହି ଜିଲ୍ଲା ର ସର୍ବପୁରାତନ ଏବଂ ବୃହତ୍ତମ ଇଂଲିଶ ମିଡିୟମ ସ୍କୁଲ, ଆଇ ଏମ୍ ଏସ ଟି, ନର୍ସରୀ ଏବଂ ହାଇସ୍କୁଲର ୪୯ ତମ ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି। ୧୯୭୬ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରାୟ ୧୧ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଏବଂ ସେମାନଙ୍କ ପାଇଁ ୭୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତ ଅଛନ୍ତି। ଏହି ସମାରୋହରେ ମାଲକାନଗିରି ଜିଲ୍ଲାର ଉପ- ଜିଲ୍ଲାପାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଏସ,ପି )ଶ୍ରୀ ତପନ ନାରାୟଣ ରଥ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ସମସ୍ତ ପ୍ରକାର ଆଧୁନିକ ସରଞ୍ଜାମ ରେ ସଜ୍ଜିତ ଏବଂ ସୁବିଧା ବିଶିଷ୍ଟ ଏହି ବିଦ୍ୟାଳୟ ଦୀର୍ଘ ୪୯ ବର୍ଷ ଧରି ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଏବଂ ଗୁଣାତ୍ମକ ଶିକ୍ଷାଦାନ କରି ଆସୁଛି । ଏଥିସହିତ ଦୀର୍ଘ ୪୯ ବର୍ଷ ପୂର୍ବେ ୧୯୭୬ ମସିହାରେ ପଲ ଜୟରାଜ ନାମକ ଯାଜକ, ଏହି ବିଦ୍ୟାଳୟଟି ପ୍ରତିଷ୍ଠା କରିବା ପାଇଁ ଏହି ପାହାଡ଼ ପର୍ବତ,ବଣଜଙ୍ଗଲ ପରିବେଷ୍ଟିତ ସେତେବେଳର ଏହି ଦୁର୍ଗମ ଏବଂ ଉପାନ୍ତ ଜିଲ୍ଲାକୁ ବାଛିନେଇଥିଲେ ବୋଲି, ତାଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ଯଥାକ୍ରମେ ଅତିଥି ମାନଙ୍କ ଦ୍ଵାରା ଉପବିତ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସି ବି ଏସ ଇ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ମୁଖ୍ୟ ଆଇ, ଜେବା ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ। ଆଇ ଏମ୍ ଏସ ଟି ଓଡ଼ିଶା ଓ ଛତିଶଗଡ଼ ଫିଲ୍ଡ କୋଅର୍ଡିନେଟର ତଥା ଯାଯକ ଶିବରାଜ, ପ୍ରୀନ୍ସିପାଲ ଶଶିକଲା ଏବଂ ବରିଷ୍ଠ ଶିକ୍ଷକ ତଥା ସାମ୍ବାଦିକ ଶିବ ପ୍ରସାଦ କିର୍ତ୍ତନୀୟା ମଧ୍ୟ ମଞ୍ଚାସିନ ଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ନର୍ସରୀ ଠାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଓଡ଼ିଶୀ ସହିତ,ଆମ୍ବ୍ରେଲା ଡାନ୍ସ,ଜିଙ୍ଗଲ ଡାନ୍ସ,କୋରାପୁଟିଆ, ତାମିଲନାଡୁ, ଆସାମ , ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନର ଲୋକନୃତ୍ୟ, ଦେଶାତ୍ମବୋଧକ ନୃତ୍ୟ, ସଙ୍ଗୀତ, ନାଟକ ଏବଂ ସ୍କିଟ ମାଧ୍ୟମରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ହଜାର ହଜାର ସଂଖ୍ୟାରେ ଦର୍ଶକ ଉକ୍ତ କାର୍ୟ୍ୟକ୍ରମକୁ ଉପଭୋଗ କରିଥିଲେ। ବିଦ୍ୟାଳୟ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ, ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଇ ଥିଲା। ସର୍ବଶେଷରେ ସ୍କୁଲର ଭାଇସ ପ୍ରୀନ୍ସିପାଲ ସୁଧାମଣି ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମବେତ ଜାତୀୟ ସଙ୍ଗୀତ ଗାନ ସହିତ କାର୍ୟ୍ୟକ୍ରମକୁ ସମାପ୍ତ ଘୋଷଣା କରାଯାଇଥିଲା।