ନାବାଳିକାକୁ ଅପହରଣ କରି ବନ୍ଧା ହେଲେ ୪ ଅଭିଯୁକ୍ତ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : ନାବାଳିକାକୁ ଅପହରଣ କରି ବନ୍ଧା ହେଲେ ୪ ଅଭିଯୁକ୍ତ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନରେ ପାହିରାଜୁ ପଞ୍ଚାୟତ ର ଜନୈକା ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଗୋଛାପଡା ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲିଗୁଡା ଥାନା ସିକେଲ ଗ୍ରାମର ଦାମ ମଲିକ, ପ୍ରଫୁଲ୍ଲ ମଲିକ,ରବି ମଲିକ ଓ ସହଦେବ ମଲିକ ।
ସୂଚନା ଅନୁସାରେ ଗୋଛାପଡା ଥାନା ଅଞ୍ଚଳର ନାବାଳିକା ଜଣକ ନିଜ ମାଙ୍କ ସହିତ କୌଣସି କାମରେ ବଜାରକୁ ଯାଇଥିଲେ । ସେହି ସମୟରେ ୪ ଜଣ ଯୁବକ ଆସି ତାଙ୍କୁ ବାଇକ୍ ରେ ପାହିରାଜୁ ଛକନିକଟ ରୁ ଉଠାଇ ନେଉଥିଲେ । ବାରନ୍ଦାପଡା ଗାଁ ରେ ନାବାଳିକାଙ୍କ ପାଟି ଶୁଣି ଗାଁ ଲୋକେ ଆସି ତାଙ୍କୁ ଗୋଡେଇ ଧରିଥିଲେ । ପରେ ଘରଲୋକେ ଆସି ଝିଅକୁ ନେଇଥିଲେ । ପରିବାର ଲୋକେ ଗୋଛାପଡା ଥାନା ରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗକ୍ରମେ ଗୋଛାପଡା ଥାନା ରେ କେସ୍ ନମ୍ବର -୧୫୯/୨୩ ୟୁ. ଏସ୍ ୩୬୩/୩୬୪/୩୬୬/୩୫୪ ଏ/୩୪ ଆଇ . ପି. ସି/୧୨ କୋ ଧାରା ମାମଲା ରୁଜ୍ଜୁ କରି ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି । ନାବାଳିକା ଜଣକ ବିବାହ କରିବାକୁ ରାଜି ନ ହେବାରୁ ତାଙ୍କୁ ହତ୍ୟା କରିବା ଉଦ୍ଧେଶ୍ୟରେ ଅପହରଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।