ଚତ୍ୟୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷାରେ ୩୬ ହଜାର ପୋଲିସ କର୍ମୀ ନିୟୋଜିତ

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ। ଚତୁର୍ଥ ପର୍ୟ୍ୟାୟ ବା ଶେଷ ପର୍ୟ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ କାଲି ନିର୍ବାଚନ ହେବ। ଏହି ପର୍ୟ୍ୟାୟରେ କୌଣସି ସ୍ଥାନରେ ମାଓବାଦୀ କାର୍ୟ୍ୟକଳାପ ନାହିଁ । ହିଂସାକାଣ୍ଡକୁ ନଜର ରଖାଯାଇଛି। ପ୍ରଥମ ଥର ପାଇଁ ୨୫ ବର୍ଷ ପରେ ମାଓବାଦୀ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି। ଏଥର ୧୦ ହଜାର ୮୮୨ ଟି ବୁଥ ଅଛି। ଏହା ଭିତରେ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି। ୩୬ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୃତୟନ ହେବା ସହ ଦୁଇ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ ରହିବ ବୋଲି ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି ।
ଅନ୍ୟପଟେ ଆସନ୍ତାକାଲିର ନିର୍ବାଚନ ପାଇଁ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି । ଶେଷ ପର୍ଯ୍ୟାୟରେ ମୋଟ ୪୬୦ ପ୍ରାର୍ଥୀ ନିର୍ବାଚନରେ ଭ୍ୟାଗ୍ୟ ପରୀକ୍ଷା କରୁଛନ୍ତି । ୬୬ ଜଣ ସାଂସଦ ପ୍ରାର୍ଥୀ ଥିବା ବେଳେ ୩୯୪ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ଏହି ପର୍ଯ୍ୟାୟରେ ସବୁଠାରୁ ବେଶୀ ଭୋଟର ରହିଛନ୍ତି । ଏନେଇ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରି ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି । ତେବେ ଏହି ପର୍ଯ୍ୟାୟରେ ମୋଟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।