୫-ଟି’ ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ହାଇସ୍କୁଲ ଲୋକାର୍ପିତ

ଭୁବନେଶ୍ବର : ‘୫-ଟି’ ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ହାଇସ୍କୁଲ ଲୋକାର୍ପିତ ହୋଇଛି। ଏଥିସହ ସ୍କୁଲ ରୂପାନ୍ତରଣରେ ଉଲ୍ଲେଖନୀୟ କାମ କରିଥିବା ଜିଲ୍ଲାଗୁଡ଼ିକୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍କୁଲ ରୂପାନ୍ତରରେ ଭଲ କାମ କରିଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ପ୍ରଥମ ପୁରସ୍କାର ଭାବେ ୩ କୋଟି, ଦ୍ବିତୀୟ ପୁରସ୍କାର ବାବଦରେ ୨ କୋଟି ଓ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ। ରାଜ୍ୟସ୍ତରରେ ଏକ ବର୍ଣ୍ଣାଢ୍ୟ ଉତ୍ସବ ଆୟୋଜନ କରାଯାଇ ପୁରସ୍କାରଗୁଡ଼ିକ ପ୍ରଦାନ କରାଯିବ। ଏଥିସହ ଭଲ କାମ କରିଥିବା ‌ଶ୍ରେଷ୍ଠ ୧୦ଟି ବ୍ଲକକୁ ୫୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ମିଳିବ।

ସେ ଆହୁରି କହିଥିଲେ ସ୍କୁଲ ରୂପାନ୍ତରଣର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନାଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଳିଷ୍ଟ ହୋଇଛନ୍ତି। କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସମସ୍ତେ ଅବଗତ। ତେଣୁ ସ୍କୁଲ ରୂପାନ୍ତରଣ ହେଉଛି, ଜନ ଭାଗୀଦାରିର ଏକ ପ୍ରକୃଷ୍ଟ ଉଦାହରଣ। ୫-ଟି ଅନ୍ତର୍ଗତ ସ୍କୁଲଗୁଡ଼ିକରେ ପିଲାଙ୍କୁ ସମସ୍ତ ପ୍ରକାର ଆଧୁନିକ ସୁବିଧା ଦେବାକୁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହ ଓଡ଼ିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପୁରସ୍କାରର ବିସ୍ତୃତ ବିବରଣୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ କହିଲେ ରାଜ୍ୟରେ ଶିକ୍ଷା ଉପରେ ଯେତେ ଅଧିକ ପ୍ରତିଯୋଗିତା ହେବ, ଶିକ୍ଷାର ଗୁଣାତ୍ମକ ମାନ ସେତେ ବୃଦ୍ଧି ପାଇବ। ଆମେ ସମସ୍ତେ ଶିକ୍ଷାକୁ ଏକ ମହୋତ୍ସବ ଭାବେ ପାଳନ କରିବା ଏବଂ ପ୍ରତିଯୋଗିତା ମନୋଭାବ ନେଇ ଶିକ୍ଷାର ଉତ୍କର୍ଷ ଲାଭ କରିବା। କେବଳ ଜିଲ୍ଲା କିମ୍ବା ବ୍ଲକ୍‌ ନୁହେଁ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ପଞ୍ଚାୟତ ପ୍ରତିନିଧି ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ସୋମବାର ଦିନ ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଯେଉଁଥିରେ କଟକ ଜିଲ୍ଲାର ୯୮ଟି ହାଇସ୍କୁଲ ଥିବା ବେଳେ କଳାହାଣ୍ଡିର ୧୧୫, ମାଲକାନଗିରିର ୪୯ ଓ ଯାଜପୁରର ୭୩ଟି ହାଇସ୍କୁଲ ରହିଛି। ଗତ ଦୁଇଟି ପର୍ଯ୍ୟାୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା। ତୃତୀୟ ପର୍ଯ୍ୟାୟର ରୂପାନ୍ତରିତ ହୋଇଥିବା ୨୧୫୧ଟି ହାଇସ୍କୁଲକୁ ମିଶାଇ ଏବେ ସୁଦ୍ଧା ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପ ବଦଳିଛି। ସ୍କୁଲ ରୂପାନ୍ତରଣକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟ‌ରେ ଆଜି ଉତ୍ସାହ ଦେଖିବାକୁ ମିଳିଥିଲା। ମାଲକାନଗିରିର ଛାତ୍ରୀ ସୁପ୍ରିୟା ରାୟ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସରକାରୀ ବିଦ୍ୟାଳୟ ପିଲାଙ୍କ ଲାଗି ୧୫% ସଂରକ୍ଷଣକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିଥିଲେ। ସେହିପରି କଟକର ଜୟଶ୍ରୀ ପଣ୍ଡା ଆଇଏଏସ, ଯାଜପୁରର ବିଶ୍ବଜିତ ବେହେରା ଆଇପିଏସ୍‌ ହେବାକୁ ଲକ୍ଷ୍ୟ ରଖିଥିବା କହିଥିଲେ। କଳାହାଣ୍ଡିର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ଭବିଷ୍ୟତରେ ପାଇଲଟ୍‌ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିବା ପରେ ଶତାବ୍ଦୀର ଶ୍ରେଷ୍ଠ ପାଇଲଟ୍‌ ବିଜୁ ବାବୁଙ୍କ ସଂପର୍କରେ ପ୍ରକାଶିତ ଏକ ପୁସ୍ତକ ତାଙ୍କୁ ଉପହାର ଦିଆଯିବ ବୋଲି ୫-ଟି ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ।

କାର୍ଯ୍ୟକ୍ରମ ଅବସରରେ କଟକରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଳାହାଣ୍ଡିରେ ବିଧାୟକ ଦିବ୍ୟଶଙ୍କର ମିଶ୍ର, ମାଲକାନଗିରିରେ ଜିଲ୍ଲା ପରିଷଦ ସଭାପତି ଶାମାରୀ ଟାଙ୍ଗଲୁ, ଯାଜପୁରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ସେମାନଙ୍କ ମତାମତ ରଖିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିବା ବେଳେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଧନ୍ୟବାଦ ଦେଇଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।