ପୁଣି ସ୍ୱେରେଜ ସଫା କରିବା ବେଳେ ୩ ଗୁରୁତର

କଟକ: କଟକ ସିଡିଏ ସେକ୍ଟର ୧୦ରେ ଅଘଟଣ । ସ୍ୱେରେଜ ଲାଇନ୍ କାମ ବେଳେ ଟାଙ୍କି ଭିତରେ ୩ ଜଣ ଫସି ଅବସ୍ଥା ଗୁରୁତର । ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ସାଢେ ୧୧ଟାରେ ଏହି ଅଘଟଣ ଘଟିଛି। ଆଜି ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ୍ କାମ ଚାଲିଥିଲା । ପ୍ରଥମେ ଜଣେ ଶ୍ରମିକ ଟାଙ୍କି ଭିତରେ ପସି ସଫା କରୁଥିଲେ । ସେ ପ୍ରାୟ ୧୦ରୁ ୧୫ ଫୁଟ ଭିତରକୁ ପଶିଯିବାରୁ ତା ଭିତରେ ଅଣନିଶ୍ୱାସୀ ହୋଇଯାଇଥିଲେ । କିଛି ସମୟ ପରେ ତାଙ୍କର କୌଣସି ସୋର ଶବ୍ଦ ନ ମିଳିବାରୁ ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ଗଲେ । ସେ ମଧ୍ୟ ଯିବା ପରେ ତାଙ୍କ ତରଫରୁ କିଛି ସୁରାକ ମିଳିଲା ନାହିଁ । ଏହାପରେ ତୃତୀୟ ଶ୍ରମିକ ଭିତରକୁ ଯାଇଥିଲେ। ଦୀର୍ଘ ସମୟ ପର୍ୟ୍ୟନ୍ତ କେହି ନ ଫେରିବାରୁ ଉପସ୍ଥିତ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରାଯାଇ ଏସସିବିକୁ ପଠାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂଗୀନ ଥିବା ସୂଚନା ମିଳିଛି । ଗତ ମାସରେ ଭୁବନେଶ୍ୱରରେ ସମାନ ସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୨ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।