ଭୁବନେଶ୍ବର: ମାଲେସିଆର ମାଲେଙ୍ଗାଠାରେ ଜୁଲାଇ ୧୭ରୁ ୨୪ ତାରିଖ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା ଏସୀୟ କରାଟେ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଭାଲିନା ଭାଲେଣ୍ଟିନା, ସୁରମିତା ସିହ୍ନା ଓ ବିଦ୍ୟା କିରଣ ସାହୁ। ଏହା ପୂର୍ବରୁ ଜାତୀୟ ବରିଷ୍ଠ କରାଟେ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ମହିଳା ଟିମ୍ କାଟାରେ ଏହି ୩ ଜଣଙ୍କ ସହ ସ୍ବର୍ଣ୍ଣ ପଦକ ଜିତିଥିବା ନ୍ୟାସ୍ୟା କୁମାରୀ ଏସୀୟ ଟିକେଟ୍ରୁ ବଞ୍ଚିତ ହୋଇଛନ୍ତି। ମନୋନୀତ ୩ ଖେଳାଳି ଦିଲ୍ଲୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ସାମିଲ ହେବେ। ମଙ୍ଗଳବାର ଯାତ୍ରା କରିବା ପୂର୍ବରୁ ଉତ୍କଳ କରାଟେ ସ୍କୁଲରେ ରାଜ୍ୟ ସଂଘ ପକ୍ଷରୁ ସମ୍ପାଦିକା ଗୌରୀ ମହାନ୍ତିଙ୍କ ସହ ଅନ୍ୟ କର୍ମକର୍ତ୍ତା ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।