ଭୁବନେଶ୍ୱର-: ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ କମିଶନରେଟ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜାଲ୍ ନିଯୁକ୍ତି ମେଳା କରି ଯୁବକଯୁବତୀଙ୍କୁ ଡକାଇ ସେମାନଙ୍କଠାରୁ ବିଭିନ୍ନ ବାବଦରେ ଟଙ୍କା ଠକେଇ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୁଲିସ ତଦନ୍ତ କରିବା ସହିତ ୩ ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ବାବୁଲାହରି ଗୌଡା (୪୨), ମହେଶ ରାମଚନ୍ଦ୍ର ଲୋଖଣ୍ଡେ ଏବଂ କିରଣ ଶଶିକାନ୍ତ ଘୁମରେ (୫୧) ବୋଲି ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଖଣ୍ଡରା ଗ୍ରାମର ବାସିନ୍ଦା ବାବୁଲାହରି ମୁମ୍ବାଇରେ ରହୁଥିବା ବେଳେ ତାଙ୍କର ଦୁଇ ସହଯୋଗୀ ମୁମ୍ବାଇର ମୂଳ ବାସିନ୍ଦା ବୋଲି ଜଣାପଡିଛି।
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ରାଜ ଇନ୍ ନାମକ ହୋଟେଲରେ ଫେକ ନିଯୁକ୍ତି ମେଳା କରି ଠକିବାକୁ ଯାଉଥିଲେ ଅଭିଯୁକ୍ତ ମାନେ । ନକଲି ଅଫର ଲେଟର ଓ ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଠକୁଥିଲେ ଲୋକଙ୍କୁ । ଯେଉଁଠାରେ ଓଡ଼ିଆ ଯୁବକମାନଙ୍କୁ ଚାକିରୀ ପାଇଁ ଦେଢ଼ ରୁ ଦୁଇଲକ୍ଷ ଟଙ୍କା ଲେଖାଏଁ ମଗାଯାଉଥିଲା । ପ୍ରଥମ କିସ୍ତିରେ କିଛି ଚାକିରୀ ଆଶାୟୀଙ୍କ ଠାରୁ ୭୦ ହଜାର ଟଙ୍କା ଲେଖାଏଁ ନେଉଥିଲେ। ଏ ନେଇ ଲେବର କମିଶନ ନିକଟରେ ଅଭିଯୋଗ ହେବା ପରେ ତୁରନ୍ତ ଖାରବେଳନଗର ଥାନା ନିକଟରେ ଅଭିଯୋଗ ପହଞ୍ଚିଥିଲା । ଅଭିଯୋଗ ଆଧାରରେ ୩ ଯୁବକଙ୍କୁ ଗିରଫ କରାଯାଇଥିଲା ।