ଏନକାଉଣ୍ଟରରେ ୩ ମାଓବାଦୀ ଢେର

ମାଲକାନାଗିରି(ରିପୋର୍ଟର୍ସ ଟୁଡେ): ମାଲକାନାଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ପୁଣି ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ । ଡୋଲକାଲ ଏବଂ ପେଦାପାଲ ଗ୍ରାମ ନିକଟ ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ପୋଲିସ ଗୁଳିରେ ୩ ମାଓବାଦୀ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ପେଦାପାଲ ଜଙ୍ଗଲରେ କିଛି ମାଓବାଦୀ ଏକ କ୍ୟାମ୍ପ କରି ରହିଥିବା କୌଣସି ସୂତ୍ରରୁ ଖବର ପାଇଥଲା ପୋଲିସ । ଏହାପରେ ଡି.ଆର.ଜି. ବାହିନୀର ଯବାନମାନେ ଆରମ୍ଭ କରିଥିଲେ କମ୍ବିଂ ଅପରେସନ । ଏହି ଅପରେସନ ସମୟରେ ପେଲିସକୁ ଦେଖି ମାଓବାଦୀମାନେ ହଠାତ ଆକ୍ରମଣ କରିଥିଲେ । ତେବେ ପୋଲିସ ସେମାନଙ୍କୁ ପାଲଟା ଜବାବରେ ଗୁଳି ଚାଳନା କରିଥିଲା । କିଛି ସମୟର ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଘଟଣାସ୍ଥଳରୁ ପଛଘୁଞ୍ଚା ଦେବାକୁ ସେମାନେ ବାଧ୍ୟ ହୋଇଥିଲେ । ତେବେ କିଛି ଜଣ ଖସି ପଳାଇଯିବାରେ ସଫଳ ହୋଇଥିଲେ ବି ୩ ଜଣ ମାଓବାଦୀ ପୋଲିସ ଗୁଳିର ଶିକାର ହୋଇଥିଲେ । ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୩ ମାଓବାଦୀଙ୍କ ପାଖରୁ ୩ଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।