ନୟାଗଡ଼: ନୟାଗଡ଼ରୁ ୩ କେଜି ବ୍ରାଉନସୁଗାର ଜବତ ହୋଇଛି । ପୋଲିସକୁ ଚକମାଦେଇ ଭଡ଼ା ଘରେ ଚାଲିଥିଲା କୋଟି କୋଟିର କଳା ବେପାର ।ଟାଉନ ଥାନା ନିକଟ ସିନ୍ଦୁରିଆର ଉଦୟଲେନରେ ବ୍ରାଉନସୁଗାର ପସରା ମେଲାଇଥିଲା ଅଭିଯୁକ୍ତ । ଏସଟିଏଫ ଚଢ଼ାଉ କରି ଗୋଟିଏ ଘରୁ ୩ କେଜି ବ୍ରାଉନସୁଗାର ଜବତ କରିଛି । ଏହା ସହ ୬୫ ଲକ୍ଷ ଟଙ୍କା, ୩ଟି ପିସ୍ତଲ , ୭ଟି ମାଗାଜିନ, ୪୩ ରାଉଣ୍ଡ ଗଳି, ଗୋଟିଏ କ୍ୟାସ କାଉଣ୍ଟିଂ ମେସିନ, ୪ଟି ମୋବାଇଲ ଓ ଗୋଟିଏ ଟ୍ୟାବ ଜବତ କରିଛି ଏସଟିଏଫ । ଏହି ମାମଲାରେ କେ.ବିକି ରାଓକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିକି ନାଁରେ ଏନଡ଼ିପିଏସ ଓ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି । ଅନ୍ୟ ଜଣେ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଫେରାର ରହିଛି । ସେହିପରି ଏହି କାରବାରରେ ସଂପୃକ୍ତ ଥିବା ୭ଜଣଙ୍କୁ ଚିହ୍ନଟ କରିଛି ଏସଟିଏଫ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ଏସଟିଏଫ ସୂଚନା ଦେଇଛି ।