ଆଜି ରିଲିଜ ହେବ ଓଡ଼ିଆ ୩ ଡ଼ି ହରର ଚଳଚ୍ଚିତ୍ର ‘ରହସ୍ୟ ‘

(ରିପୋର୍ଟସ ଟୁଡ଼େ): ଓଲିଉଡ଼ ପାଇଁ ଖୁସି ଖବର । ପ୍ରଥମ ଓଡ଼ିଆ ୩-ଡି ହରର୍‌ ଚଳଚ୍ଚିତ୍ର ‘ରହସ୍ୟ’ ଆଜି ମୁକ୍ତିଲାଭ କରିବ । ରାଜ୍ୟର ୩୦ରୁ ଅଧିକ ସିନେମା ହଲରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ପୂରା ଚଳଚ୍ଚିତ୍ରଟି ୩ଡି ଟେକ୍ନୋଲୋଜିରେ ସୁଟ୍‌ ହୋଇଛି। ପ୍ରେକ୍ଷାଳୟରେ ଏହାକୁ ଦେଖିବା ପାଇଁ କୌଣସି ୩ଡି ଚଷମାର ଆବଶ୍ୟକତା ପଡ଼ିବ ନାହିଁ। ସେହିପରି ପ୍ରେକ୍ଷାଳୟ‌ିରେ ଏହାର ଡଲବି ଡିଜିଟାଲ ସାଉଣ୍ଡ ଦର୍ଶକଙ୍କୁ ଏକ ନୂଆ ଅନୁଭବ ଦେବ। ଏନ୍ ଜେଲିଭ୍ ମିଡିଆ ପ୍ରସ୍ତୁତ ନାରାୟଣ ସାହୁ ଓ ଶାନ୍ତନୁ କୁମାର ସାଇଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ବିଘ୍ନେଶ୍ବର ପଣ୍ଡା। ନିହାର ଓ ଶାନ୍ତନୁ ସାଇ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ବି. ଚନ୍ଦନ କୁମାର ଚଳଚ୍ଚିତ୍ରର ସଂଳାପ ରଚନା କରିଛନ୍ତି। ଏକ ଅତୃପ୍ତ ଆତ୍ମାର କାହାଣୀକୁ ଆଧାର କରି ହୋଇଥିବା ଏହି ଚଳଚ୍ଚିତ୍ରରେ ମୁମ୍ବାଇ ଅଭିନେତ୍ରୀ କାବ୍ୟା କିରଣ, ବିଘ୍ନେଶ୍ବର, ତୁଷାର, ଅଙ୍କିତା, ଗୁଲୁ ଓ ଅଭିଷେକ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସମସ୍ତ ସୁଟିଂ ନରସିଂପୁର କୋଠି, ଗୋପାଳପୁର ସମୁଦ୍ରକୂଳ, ଚିଲିକା, କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନ‌ରେ ହୋଇଛି। ଆସନ୍ତାକାଲି କଟକ ଜୟଶ୍ରୀ ପ୍ରେକ୍ଷାଳୟରେ ଏହାର ପ୍ରିମିୟର୍‌ ସୋ’ ଅନୁଷ୍ଠିତ ହେବ।