‘ଟେକ୍’ କମ୍ପାନି ଏମଡି ଓ ସିଇଓଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ଟେକ୍ ସଂସ୍ଥାନ ଏରୋନକ୍ସ ଇଣ୍ଟରନେଟ୍ କମ୍ପାନିର ଏମଡି ଓ ସିଇଓଙ୍କୁ ହତ୍ୟା କରିଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶବରୀଶ, ବିନୟ ରେଡ୍ଡୀ ଓ ସେନ୍ତୋଷ।

ସୂଚନା ମୁତାବକ, ବେଙ୍ଗାଲୁରୁ ୱେବ୍ ଫାର୍ମର ସିଇଓ ଏବଂ ଏମ୍ଡିଙ୍କ ସହିତ ଅଭିଯୁକ୍ତମାନଙ୍କର ପୂର୍ବରୁ ଶତ୍ରୁତା ଥିଲା। ପୂର୍ବରୁ ସେମାନେ ସେହି କମ୍ପାନିରେ ଚାକିରି କରିଥିଲେ। ଚାକିରିରୁ ଇସ୍ତଫା ଦେବା ପରେ ସେମାନେ ନିଜସ୍ବ କମ୍ପାନି ଗଠନ କରି ଏରୋନକ୍ସ ଇଣ୍ଟରନେଟ୍ କମ୍ପାନିର କର୍ମଚାରୀ ଓ ଗ୍ରାହକଙ୍କୁ ନିଜ କମ୍ପାନି ଆଡ଼କୁ ପ୍ରଲୋଭିତ କରୁଥିଲେ।

ମଙ୍ଗଳବାର ଉକ୍ତ କମ୍ପାନିର ଏମଡି ଫଣୀନ୍ଦ୍ର ସୁବ୍ରମଣ୍ୟମ ଓ ସିଇଓ ବିନୁ କୁମାରଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ଦୁହିଁଙ୍କ ହତ୍ୟା ଘଟଣାର ପ୍ରମୁଖ ସନ୍ଦିଗ୍ଧ ହେଉଛନ୍ତି ଶବରୀଶ ଓରଫ୍ ଜୋକ୍ ଫିଲିକ୍ସ । ଫଣୀନ୍ଦ୍ରଙ୍କ ଉପରେ ତାଙ୍କର ଭୀଷଣ ରାଗ ଥିଲା ବୋଲି କୁହାଯାଉଛି । କମ୍ପାନିରେ ଥିବା ବେଳେ ତାଙ୍କର କାର୍ୟ୍ୟକଳାପକୁ ସେ ତୀବ୍ର ବିରୋଧ କରୁଥିଲେ। ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତଙ୍କ ସହିତ ଆଉ ୨ ଜଣଙ୍କର ସମ୍ପୃକ୍ତି ଥିଲା ବୋଲି ପୂର୍ବରୁ ଉତ୍ତର ପୂର୍ବ ବେଙ୍ଗାଲୁରୁର ଡିସିପି ଲକ୍ଷ୍ମୀ ପ୍ରସାଦ କହିଥିଲେ। ଆଜି ୩ଜଣଙ୍କୁ ଗିରଫ କରାଯାଇ ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।