୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଭାରତ ଫେରିବ

ନୂଆଦିଲ୍ଲୀ: ଭାରତ ଫେରିବ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ । ତହବୁର ରାଣାକୁ ଭାରତ ଅଣାଯିବ । ତାକୁ ଆଣିବାର ରାସ୍ତା ପରିଷ୍କାର ହୋଇଛି । ଭାରତ ଫେରିବା ଉପରେ ରୋକ ଲଗାଇବା ପାଇଁ ତହବୁର ରାଣା ପକ୍ଷରୁ ଦାୟର ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଯାହା ଫଳରେ ତହବୁରର ଭାରତ ପ୍ରତ୍ୟାର୍ପଣ ନିଶ୍ଚିତ ହୋଇଯାଇଛି ।

ପାକିସ୍ତାନୀ ବଂଶୋଦ୍ଭବ ୬୪ ବର୍ଷୀୟ କାନାଡିଆନ ନାଗରିକ ତହାୱୁର ରାଣା ବର୍ତ୍ତମାନ ଲସ୍ ଆଞ୍ଜେଲସର ମେଟ୍ରୋପଲିଟାନ ଡିଟେନସନ୍ ସେଣ୍ଟରରେ ବନ୍ଦୀ ଅଛନ୍ତି । ସେ ଫେବୃଆରୀ ୨୭ ତାରିଖରେ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏବଂ ନବମ ସର୍କିଟର ସର୍କିଟ୍ ଜଷ୍ଟିସ୍ ଏଲେନା କାଗାନଙ୍କ ସମ୍ମୁଖରେ ହାବିୟସ୍ କର୍ପସ୍ ରିଟ୍ ପର୍ଯ୍ୟନ୍ତ ବିଚାରକୁ ସ୍ଥଗିତ ରଖିବା ପାଇଁ ଏକ ଜରୁରୀକାଳୀନ ଆବେଦନ ଦାଖଲ କରିଥିଲା । ଗତ ମାସ ଆରମ୍ଭରେ କାଗାନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ତା’ପରେ ରାଣା ତାଙ୍କ ଆବେଦନକୁ ନବୀକରଣ କରି ଆବେଦନକୁ ମୁଖ୍ୟ ବିଚାରପତି ରବର୍ଟସଙ୍କ ନିକଟକୁ ପଠାଇବାକୁ ଅନୁରୋଧ କଲେ । ସୁପ୍ରିମକୋର୍ଟ ୱେବସାଇଟରେ ପୋଷ୍ଟ ହୋଇଥିବା ଏକ ଆଦେଶରେ କୁହାଯାଇଛି ଯେ ରାଣାଙ୍କ ନବୀକରଣ ଆବେଦନକୁ ୪ ଏପ୍ରିଲ୍, ୨୦୨୫ରେ ଏକ ବୈଠକ ପାଇଁ ତାଲିକାଭୁକ୍ତ କରାଯାଇଥିଲା । ଆବେଦନରେ ତହବୁର କହିଥିଲା କି ତାର ପ୍ରତ୍ୟାର୍ପଣ ଉପରେ ତୁରନ୍ତ ରହିତାଦେଶ ଲଗାଯାଉ। ଏହାସହ ସେ ଲେଖିଥିଲା ଯେ, ଯଦି ତାକୁ ଭାରତ ପଠାଇ ଦିଆଯିବ ତେବେ ଭାରତରେ ତାକୁ ପ୍ରତାରିତ କରାଯିବ । ଫଳରେ ଭାରତରେ ସେ ଅଧିକ ଦିନ ବଞ୍ଚିପାରିବ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରିଥିଲା ।