(ଆଦର୍ଶ ରାଉତ) ଭୁବନେଶ୍ୱର: ବାତ୍ୟା ଫନି ଯୋଗୁଁ ୧୯ ଦିନ ଧରି ବନ୍ଦ ଥିବା ଓଡିଶାର ଏକମାତ୍ର ଚିଡିଆଖାନା ନନ୍ଦନକାନନ ଗତକାଲି ଖୋଲିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଖୁସୀ ଦେଖିବାକୁ ମଳିଥିଲା । ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ ଦାଶଙ୍କ କହିବା ଅନୁଯାୟୀ, ଗତକାଲି ୨୩୩୮ ଜଣ ଦର୍ଶକ ନନ୍ଦନକାନନ ଆସିଥିବା ଟିକେଟ ବିକ୍ରିରୁ ଜଣା ପଡିଛି । ଦର୍ଶକମାନେ ସମସ୍ତ ପଶୁ ପକ୍ଷୀଙ୍କୁ ସୁରକ୍ଷିତ ଥିବା ଦେଖି ଖୁସି ହୋଇଥିଲେ । ସେହିପରି କିଛି ଦର୍ଶକଙ୍କ ଅନୁଯାୟୀ, ଚିଡିଆଖାନା ନିଜ ସବୁଜୀକରଣ ହରାଇଛି, ତେଣୁ ସେଠାରେ ତାପମାତ୍ରା ବୃଦ୍ଧି ଘଟିଛି । ଏହା ଉପରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦର୍ଶକମାନେ କହିଛନ୍ତି । ପରିବେଶବିତ୍ଙ୍କ ଅନୁଯାୟୀ, ୨୦ ବର୍ଷରୁ ଅଧିକ ସମୟ ଲାଗିଯିବ ନନ୍ଦନକାନନର ସବୁଜିମା ଫେରିବାକୁ । ଏନେଇ ଚିଡିଆଖାନାର କାର୍ଯ୍ୟକର୍ତ୍ତା, ଜଙ୍ଗଲବିଭାଗ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି ।