ଯୁବପୀଢିଙ୍କ ପାଇଁ ଖୁସି ଖବର: ମିଶନ ମୋଡରେ ୧୦ ଲକ୍ଷ ପଦବୀରେ ନିଯୁକ୍ତି

ନୂଆଦିଲ୍ଲୀ : ଯୁବପୀଢିଙ୍କ ପାଇଁ ଖୁସି ଖବର । ଚାକିରିକୁ ନେଇ ଆଉ ରହିବନି ଟେନସନ । କାରଣ ନିଯୁକ୍ତିକୁ ନେଇ ମୋଦୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସବୁବେଳେ ରୋଜଗାର ଓ ନିଯୁକ୍ତି ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କୁ ଘେରି ଆସିଛନ୍ତି ବିରୋଧୀ । ହେଲେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ସରକାର ନେଇଛନ୍ତି ମେଗା ନିଯୁକ୍ତିର ନିଷ୍ପତ୍ତି । ଲକ୍ଷ ଲକ୍ଷ ଆଶାୟୀଙ୍କୁ ମିଳିବ ନିଯୁକ୍ତି । ଆଉ ତାହା ବି ପୁଣି ଆଗାମୀ ଦେଢ ବର୍ଷ ମଧ୍ୟରେ ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଫାଙ୍କା ପଡିଥିବା ପଦବୀ ଗୁଡିକୁ ମିଶନ ମୋଡରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଥାର୍ତ ଆଗାମୀ ଦେଢ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୧୦ ଲକ୍ଷ ଚାକିରି ଆଶାୟୀଙ୍କୁ ନିଯୁକ୍ତି ମିଳିବ । ଏନେଇ ପିଏମଓ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସବୁ ବିଭାଗ ଓ ମନ୍ତ୍ରାଳୟର ଫାଙ୍କା ପଡିଥିବା ପଦବୀର ସମୀକ୍ଷା କରିଛନ୍ତି । ଏହାପରେ ଆଗାମୀ ଦେଢ ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ପଦବୀରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏଥିପାଇଁ ସବୁ ବିଭାଗ ଦ୍ରୁତ ବେଗରେ କାର୍ଯ କରିବେ ।

କରୋନା ମହାମାରୀ କାରଣରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଫାଙ୍କା ପଡିଥିବା ପଦବୀରେ ନିଯୁକ୍ତି ହୋଇନାହିଁ । ଆଉ ଏଭଳି ସ୍ଥଳେ ମୋଦୀଙ୍କ ଏଭଳି ଯୁବବର୍ଗଙ୍କ ମନରେ ଉତ୍ସାହ ଭରିଦେଇଛି । ଆଗକୁ ୨୦୨୪ ନିର୍ବାଚନ, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ନିଷ୍ପତ୍ତି ଶାସକ ଦଳକୁ ବେଶ ସୁହାଇବ ବୋଲି କୁହାଯାଉଛି ।