ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ରାୟଗଡା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ରାୟଗଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଏହି ସୁବିଧା ପାଇବେ । ଏହାସହିତ ରାଜ୍ୟର ୧୭ଟି ଜିଲ୍ଲାର ଜନସାଧାରଣ ଏହି କାର୍ୟ୍ୟକ୍ରମରେ ସାମିଲ ହେଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀ ମାନଙ୍କର ଉଚ୍ଚ ପ୍ରଶଂସାରେ କହିଲେ ଯେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି । ସେହିପରି ଜିଲ୍ଲାରେ ମା ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ରାୟଗଡା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରାୟଗଡାରେ ଜଳସେଚନର ସୁବିଧା ପାଇଁ ଦୁଇଟି ମେଗା ଲିଫ୍ଟ ପ୍ରକଳ୍ପ ଶେଷ ହୋଇଛି ଏବଂ ଏହାଦ୍ବାରା ଗୁଣୁପୁର ବ୍ଲକ୍ର ୧୦୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ରାୟଗଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୮ ଲକ୍ଷ ୩୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ ବୋଲି ପ୍ରକାଶ କରି ଏହାଦ୍ବାରା ସେମାନଙ୍କର ଏକ ବଡ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ । ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ସେମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ୟ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସାଂସଦ ଶ୍ରୀ ଭାସ୍କର ରାଓ, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ରୂପାନ୍ତର ଆଣିବାରେ ସକ୍ଷମ ହୋଇଛି ବୋଲି କହିଥିଲେ ୤ ବିକାଶ ତଥା କଲ୍ୟାଣ କ୍ଷେତ୍ରରେ ଓଡିଶାକୁ ଦେଶର ଏକ ମଡେଲ ରାଜ୍ୟ ଭାବରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ୤