ଆଜିଠୁ +୨ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ; ୧୩ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ୟ୍ୟାୟ ନାମଲେଖା ଆରମ୍ଭ ହୋଇଛି। ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ୟ୍ୟନ୍ତ ଚାଲିବ ନାମଲେଖା । ୭ରୁ ୧୩ ତାରିଖ ଯାଏ ନାମଲେଖା ପ୍ରକ୍ରିୟା ଜାରି ରହିବ। ଗତକାଲି ପ୍ରଥମ ପର୍ୟ୍ୟାୟ ମେଧାତାଲିକାରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀ ଆଡମିଶନ କରିବେ । ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪ ଲକ୍ଷ ୭୨ ହଜାର ୨୭୯ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ୪ ଲକ୍ଷ ୧୨ହଜାର ୩୬୮ଜଣଙ୍କୁ ସିଟ୍ ଆଲଟ୍ମେଣ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮, ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ସଂସ୍କୃତରେ ୭ହଜାର ୭୭୯ ଏବଂ ଧନ୍ଦାମୂଳକରେ ୫ହଜାର ୨୨୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୩୧ ଜୁଲାଇ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରି ଅଗଷ୍ଟ ୧ ତାରିଖରୁ ପାଠପଢା ଆରମ୍ଭ କରିବା ପାଇଁ ଲକ୍ଷ ରଖିଛି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।