(ସରୋଜ କୁମାର ରାଉତ/ଭୁବନେଶ୍ୱର): ଗତକାଲି ଜଟଣୀ ଥାନା ଅଧିନରେ ଥିବା ଯାଁଳା ଫାଣ୍ଡି ନିକଟରେ ଥିବା ଏକ ସୁଧାରଗୃହରୁ ଦୁଇ ଜଣ ବଙ୍ଗୀୟ ରୂପଜୀବୀ ପାଚେରୀ ଡେଇଁ ଫେରାର ହୋଇଛନ୍ତି । ଏନେଇ ସୁଧାରଗୃହ କର୍ତ୍ତୃପକ୍ଷ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । ଫେରାର ଥିବା ୨ ବଙ୍ଗୀୟ ରୂପଜୀବୀ ଜାଲ ପରିଚୟ ପତ୍ରରେ ଭୁବନେଶ୍ୱରରେ ରହୁଥିବା ବେଳେ ଧରାପଡିଥିଲେ । ସୁଚନା ଅନୁଯାୟୀ, ୨ ରୂପଜୀବୀଙ୍କ ଘର ବାଂଲାଦେଶ ହୋଇଥିବା ବେଳେ ପିପିଲିର ଜଣେ ଦଲାଲ ତାଙ୍କର ଜାଲ କାଗଜପତ୍ର ତିଆରି କରି କୋଲକାତାରୁ ସେମାନଙ୍କୁ ଆଣିଥିଲା । ପ୍ରଥମେ ଭୁବନେଶ୍ୱରକୁ ଆଣି ଦେହ ବ୍ୟବସାୟରେ ଲଗାଇଥିଲା । ସେମାନେ ଜଟଣୀ ଥାନା ଅଧିନରେ ଥିବା ଏକ କୋଚିଂ ସେଣ୍ଟରରେ ରହି ଦେହ ବ୍ୟବସାୟରେ ଲିପ୍ତ ରହିଥିଲେ । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଡ୍ୟାନ୍ସ ବାରରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ କରାଯାଇଥିଲା । ସେନେଇ ଥାନାରେ ଯୁବତୀ ଜଣକ ଅଭିଯୋଗ କରିଥିଲା । ପୋଲିସ ତାଙ୍କ କାଗଜପତ୍ର ଯାଞ୍ଚ କରିବା ପରେ ଜାଲ କାଗଜପତ୍ରରେ ସେ ଓଡ଼ିଶା ଆସିଥିବା ଜାଣି ଗିରଫ କରାଯାଇଥିଲା । ପରେ ଏହି ର୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା । ସମୁଦାୟ ରାଜଧାନୀରୁ ୧୦ ଜଣ ବାଂଲାଦେଶ ଯୁବତୀଙ୍କୁ ଉଦ୍ଧାର କରାଯାଇ ସୁଧାରଗୃହରେ ରଖାଯାଇଥିଲା । ସେଥି ମଧ୍ୟରୁ ୫ ଜଣଙ୍କୁ ନିଜ ଦେଶକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟ ୫ ଜଣ ରହିଥିଲେ । ସେମାନଙ୍କ ମଧ୍ୟରୁ ଏବେ ୨ ଜଣ ଫେରାର ହୋଇଛନ୍ତି ।