ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତକଙ୍କ ଶବ ରଖି ପରିବାର ଲୋକଙ୍କ ଧାରଣା

ପାଟଣା ୧୪।୬: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଏଚପି ପେଟ୍ରୋଲ ପମ୍ପ୍  ନିକଟରେ ରବିବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଖୀରେଇଟାଙ୍ଗିରି ଗ୍ରାମର ଗପାଳ ଚନ୍ଦ୍ର ମହାନ୍ତ ଓ ଦିଲ୍ଳୀପ କୁମାର ମହାନ୍ତଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଉଭୟଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବିରେ ପରିବାର ଲୋକେ ଖିରେଇଟାଙ୍ଗିରୀ ସ୍ଥିତ ମୋନ୍ଟେକାର୍ଲୋ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ ଯେ, ୪୯ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ମୋନ୍ଟେକାର୍ଲୋ ନାମକ ଏକ କମ୍ପାନୀ କାର୍ଯ୍ୟ କରୁଛି । ଉକ୍ତ କମ୍ପାନୀରେ ଉଭୟ ଡ୍ରାଇଭର ଭାବରେ ନିୟୋଜିତ ଥିଲେ । ରବିବାର ବିଳମ୍ବିତ ରାତିରେ ଖୀରେଇଟାଙ୍ଗିରିରୁ ଚଢ଼େଇଭୋଳକୁ ବୋଲେରୋ କ୍ୟାମ୍ପରରେ ଯାଉଥିବା ବେଳେ ଏକ ଟ୍ରକ୍ ପଛରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ଳୋକେ ମୃତଦେହ ଧରି ଧାରଣାରେ ବସିଛନ୍ତି ।