ପାରାଦୀପ(ପ୍ରଶାନ୍ତ କୁମାର ସ୍ୱାଇଁ): ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ ‘ସାଗର କବଚ’ । ଏହି ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରତିରୋଧ କରିବାର କଳା କୌଶଳ ପ୍ରଦର୍ଶନ କରିବେ ସୁରକ୍ଷା କର୍ମୀ ।
ଗୋଟିଏ ବିଭାଗ ଆତଙ୍କବାଦୀ ରୂପରେ ଜଳପଥରୁ ଆସି ସ୍ଥଳପଥରେ ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ସ୍ଥଳଭାଗରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡକରିବେ ଆଉ ଗୋଟିଏ ଟିମ । ଏନେଇ ଚଳିତବର୍ଷ କମ୍ପାଇଣ୍ଡ କୋଷ୍ଟାଲ ଏକ୍ସରସାଇଜ ‘ସାଗର କବଚ’ କାର୍ୟ୍ୟକ୍ରମରେ ଭାଗ ନେଉଛନ୍ତି ଇଣ୍ଡିଆନ ନେଭି, କୋଷ୍ଟ ଗାର୍ଡ, ସିଆଇଏସଏଫ, ଫିସାରୀ ଡିପାର୍ଟମେଣ୍ଟ ଏବଂ ଓଡିଶା ପୋଲିସ ।
ଏହି ମିଳିତ କାର୍ୟ୍ୟକ୍ରମ ପାଇଁ ଗତକାଲି ଠାରୁ ସମସ୍ତ ସୁରକ୍ଷା ବିଭାଗ ରେ ପ୍ରସ୍ତୁତି ଶେଷ ହୋଇଛି । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ସାମଗ୍ର ଭାରତବର୍ଷରେ ଥିବା ଉପକୂଳ ବନ୍ଦର ଓ ସହର ମାନଙ୍କରେ ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ । ଏନେଇ ପାରାଦୀପର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ମାନଙ୍କରେ ସୁରକ୍ଷାକର୍ମୀ ମାନେ ସଜାଗ ରହିଥିବା ଦେଖିବାକୁ ମିଳିଛି ।