ପ୍ରାଚୀନ ପ୍ରାଚୀ ନଦୀରେ ନୌ ଯାତ୍ରା, କଟକ ରୁ ପୁରୀ ଦୁଇଦିନ ଯାତ୍ରା

(ଜୟନ୍ତ କୁମାର ସେଠୀ / ଗୋପ) : ପୂଣ୍ୟତୋୟା ପ୍ରାଚୀ ନଦୀର ଉଭୟ ପାର୍ଶ୍ଵରେ ପୁରାତନ ସଭ୍ୟତା ଗଢ଼ିଉଠିଥିବା କିମ୍ବଦନ୍ତୀ କହେ। ସ୍ବୟଂ ମା ଗଙ୍ଗା ଏହି ନଦୀରେ ଗୁପ୍ତ ଭାବେ ପ୍ରକଟ ହେଉଥିଲେ ବୋଲି ପୂର୍ବରୁ ବିଶ୍ଵାସ ରହିଛି । ଯାହାଫଳରେ ଏହି ନଦୀର ତ୍ରୀବେଣୀ ଘାଟ ଓ ବିଶ୍ଵାମିତ୍ର ମଠ ଠାରେ ଅଦ୍ୟାବଧି ଲୋକ ମାନେ ଅସ୍ଥି ବିସର୍ଜନ କରିବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି। ଏହି ନଦୀର ଉଭୟ ପାର୍ଶ୍ଵରେ ଅଷ୍ଟାଦଶ ମାଧବ, ଦ୍ବାଦଶ ଶମ୍ଭୁ, ଚତୁର୍ଦ୍ଧାମୂର୍ତ୍ତିଙ୍କ ନବକଳେବରର ଆଜ୍ଞାଦାତ୍ରୀ ମା ମଙ୍ଗଳାଙ୍କ ମନ୍ଦିର, ପୌରାଣିକ ଗାଥା ବହନ କରୁଥିବା ମଠ ମନ୍ଦିର ସବୁ ରହିଛି। ଏହି ନଦୀ ତତକାଳୀନ କଳିଙ୍ଗ ରାଜ୍ୟର ନୌ ବାଣିଜ୍ୟର ପ୍ରମୁଖ ମାଧ୍ୟମ ଥିଲା ,ଯାହା ବର୍ତମାନ ପାଇଁ ଇତିହାସ ପାଲଟି ଯାଇଛି। ମହୋଦଧି ମୁହାଣ ଠାରୁ ମାତ୍ର କିଛି ଅଂଶ ଉପରକୁ ଛାଡ଼ିଦେଲେ , ନଦୀର ଉତ୍ପତ୍ତି ସ୍ଥଳ ପର୍ୟ୍ୟନ୍ତ ବିଲୁପ୍ତ ପ୍ରାୟ ହୋଇଗଲାଣି। ଆଧୁନିକତାର ପ୍ରଭାବରେ ନଦୀଟି ସତ୍ତା ହରାଉଥିବା ସମୟରେ ନୌସେନା ଭେଟେରାନ କ୍ଳବର ସଭାପତି ବିଦ୍ୟାଧର ନାୟକଙ୍କ ନେତୃତ୍ବରେ ଏକ ଟିମ ପ୍ରାଚୀ ନଦୀ ତଟର ପ୍ରାଚୀନ ଗୌରବମୟ ଐତିହ୍ୟର ପୁନରୁଦ୍ଧାର ଓ ନଦୀର ସୁରକ୍ଷା ପାଇଁ ଅଧିକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୌଯାତ୍ରାର ଶୁଭାରମ୍ଭ କରିଛନ୍ତି। ନରାଜ ମୁଣ୍ଡୁଳୀ ନିକଟ ମହାନଦୀ କୂଳ ପୁରୀ କେନାଲର ଉତ୍ପତ୍ତି ସ୍ଥଳ ଜଗନ୍ନାଥ ମନ୍ଦିର ନିକଟରେ ମଙ୍ଗଳ ଆଳତି ଓ ନଦୀ ବନ୍ଦନା କରାଯାଇ ନୌ ଯାତ୍ରାକୁ ପୂର୍ବତନ ନୌସେନା କମାଣ୍ଡର ଦୀନବନ୍ଧୁ ଜେନା ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ସ୍ବାଧୀନତାର ଅମୃତ ମହୋତ୍ସବ ଓ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ ବାହାରି ଥିବା ନୌ ଯାତ୍ରାର ଅନ୍ତିମ ଦିବସରେ କାକଟପୁର କଲେଜ ବ୍ରିଜ ନିକଟରେ ଅବସରପ୍ରାପ୍ତ ଶିକ୍ଷକ ନେତା ରମେଶଚନ୍ଦ୍ର ବିଶ୍ଵାଳଙ୍କ ନେତୃତ୍ବରେ ଶିକ୍ଷାବିତ୍ କୈଳାସ ଦାଶ, ପଣ୍ଡିତ ତ୍ରିଲୋଚନ ମିଶ୍ର, ସମାଜସେବୀ ଜ୍ଞାନରଞ୍ଜନ ସାହୁ, କାକଟପୁର ସରପଂଚ ସୌଦାମିନୀ ବରାଳ ଙ୍କ ସମେତ ବହୁସଂଖ୍ୟାରେ ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଅଧିବାସୀମାନେ ଯୋଗଦେଇ ଯାତ୍ରୀମାନଙ୍କୁ ପୁଷ୍ପ ଗୁଛ ଦେଇ ଉତ୍ସାହିତ କରିଥିଲେ। ଏହି କଟକ ଜିଲ୍ଲା ସାନମୂଣ୍ଡଳି ଠାରୁ ବାହାରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବେଲେଶ୍ୱର ମନ୍ଦିର ନିକଟରେ କେଳୁଣୀ ମୁହାଣଠାରେ ସମାପନ କରାଯିବ।ଏହି ଯାତ୍ରା ଦୁଇଦିନ ଧରି ଚାଲିବ ବୋଲି କହିଛନ୍ତି ପ୍ରାଚୀ ନଦୀ ଗବେଷକ ।