ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକର ଚାଷୀମାନଙ୍କ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଆଇ.ଟି.ସି ମିଶନ ସୁନହେରା କଲ ଏବଂ ହର୍ଷ ଟ୍ରଷ୍ଟ , ଗଂଜାମର ସହାୟତାରେ ଅନ-ଲାଇନରେ ଧାନଚାଷରେ ଧାଡିବୁଣା ପାଇଁ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି I ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୮୦ ଜଣ ଅଗ୍ରଣୀ ଚାଷୀ, କୃଷି ବିଜ୍ଞାନ କେନ୍ଦ୍ର, ଗଂଜାମ ୨ ର ବୈଜ୍ଞାନିକ, ସହକାରୀ କୃଷି ଯନ୍ତ୍ରୀ, ସହକାରୀ କୃଷି ଅଧିକାରୀ, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ର ଯୋଗଦାନ କରିଥିଲେ I
ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରି ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ପ୍ରକାରର ଉନ୍ନତ ବଳଦ ଟଣା ଯନ୍ତ୍ରପାତି ଯଥା ଟି ଉନ୍ନତ ଜୁଆଳି, ଓୟୁଏଟି ବଳଦ ଟଣା ଯନ୍ତ୍ର ଇତ୍ୟାଦିର ବ୍ୟବହାର ଏବଂ ଉପାଦେୟତା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ I ସ୍ବେଚ୍ଛାସେବୀ ଅନୁଷ୍ଠାନ।ହର୍ଷ ଟ୍ରଷ୍ଟର ବରିଷ୍ଠ ସଂଯୋଜକ ଅଜୟ ପାଣ୍ଡେ ଓ ସ୍ଥାନିୟ ସଂଯୋଜକ ଶଶିକାନ୍ତ ବେହେରା ପ୍ରମୁଖ ଆଗାମୀ ଦିନରେ ଧାନଚାଷରେ ଯାନ୍ତ୍ରିକ ପ୍ରଣାଳୀରେ ଧାଡିବୁଣା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ସମସ୍ତଙ୍କ ସହାୟତା କାମନା କରିଥିଲେ i
କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ଵୈଜ୍ଞାନିକ ଓ ମୁଖ୍ୟ ଡଃ ସୁସ୍ମିତା ମହାନ୍ତି ଗଂଜାମ ଜିଲ୍ଲାରେ ବଳଦ ଟଣା ପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ରର ବ୍ୟବହାର ଉପରେ ଗୁରୁତ୍ଵାରୋପ କରିଥିଲେ i ଆଲୋଚନାରେ ଭାଗନେଇ ନିମାପଡା ଅଂଚଳର ଉଦ୍ଯୋଗୀ ଯୁବ ଚାଷୀ ସଂଗ୍ରାମ ପାତ୍ର ଯାନ୍ତ୍ରିକ ପ୍ରଣାଳୀରେ ଧାଡି ବୁଣା କାମ ସହ ଘାସ ମରା ଔଷଧର ସଠିକ ବ୍ୟବହାର ସମ୍ବନ୍ଧରେ ବୁଝାଇଥିଲେ i ସମ୍ପ୍ରତି ଧାନ ଚାଷରେ ଯାନ୍ତ୍ରିକ ପ୍ରଣାଳୀରେ ଧାଡି ବୁଣା କରାଗଲେ ଛଟା ବୁଣା ତୁଳନାରେ ପ୍ରାୟ ଅଧା ବିହନରେ ଅର୍ଥାତ ଏକର ପିଛା ମାତ୍ର ୧୫ କେଜି ବିହନରେ ଧାନ ଚାଷ କରାଯାଇପାରିବ ଓ ଉତ୍ପାଦନ ଶତକଡା ୨୦ ଭାଗ ଯାଏଁ ବଢିପାରିବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।
ସାମ୍ପ୍ରତିକ କରୋନା ମହାମାରୀ ସମୟରେ ସମସ୍ତ ସରକାରୀ କୋଭିଡ କଟକଣା ମଧ୍ୟରେ ପ୍ରକଳ୍ପ ତରଫରୁ ଆୟୋଜିତ ଏହିପରି ଅନ-ଲାଇନ କାର୍ଯ୍ୟକ୍ରମକୁ ସମସ୍ତେ ବେଶ ପ୍ରଶଂସା କରିଥିଲେ I