ଗଞ୍ଜାମ/ରଜନୀକାନ୍ତ ପାତ୍ର: ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟର ୧୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହା ଓକିଲ ସଙ୍ଘ କାର୍ଯ୍ୟାଳୟ ପରିସରରେ ସଙ୍ଘ ସଭାପତି ଦ୍ୟୁତିକୃଷ୍ଣ ସାବତଙ୍କ ପୌରହିତରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ରୂପେ ସବ ଜର୍ଜ ଅବକାଶ ଚୌଧୁରୀ, ସଂମାନିତ ଅତିଥି ରୂପେ ଜେଏମଏଫସି ବିଚାରପତି ଦୀପ୍ତିମୟୀ ସାହୁ ,ମୁଖ୍ୟବକ୍ତା ରୂପେ ବରିଷ୍ଠ ଆଇନଜୀବି ନିର୍ମଳ ସାହୁ, ସଙ୍ଘ ସମ୍ପାଦକ ଶାନ୍ତନୁ କୁମାର ପୋଲେଇ ପ୍ରମୁଖ ମଂଚାସୀନ ଥିଲେ । ଅତିଥିମାନଙ୍କ ଦ୍ବାରା ପ୍ରଥମେ କେକ୍ କାଟି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ହିଞ୍ଜିଳିକାଟୁରେ ଏକ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରତିଷ୍ଠା ନିମନ୍ତେ ସବୁ ସଦସ୍ୟ ମତ ରଖିଥିଲେ । ସଭାପତି ଶ୍ରୀସାବତ ହିଞ୍ଜିଳିକାଟୁ ଠାରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରତିଷ୍ଠା ପର୍ୟ୍ୟନ୍ତ ସଙ୍ଘର ଚେଷ୍ଟା ଜାରି ରହିବ ବୋଲି କହିଥିଲେ । ଏଥିସହ କୋର୍ଟର ରହିଥିବା ସମସ୍ୟା ଓ ଆନୁସଙ୍ଗିକ ବ୍ୟବସ୍ଥାକୁ ପୂରଣ କରିବା ଦିଗରେ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ମୁଖ୍ୟ ବ୍ୟକ୍ତା ଶ୍ରୀ ସାହୁ ଗରୀବ ଜନସାଧାରଣଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ପ୍ରାଥମିକତା ଦେବା ସହ ଶ୍ରୀଘ୍ର ମାମଲା ଗୁଡିକର ଫଇସଲା ହେବା ଦ୍ବାରା ଆଇନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଦୃଢ ବିଶ୍ବାସ ହେବା ସହ ନ୍ୟାୟ କ୍ଷେତ୍ରରେ ସମସ୍ତେ ଅଧିକ ଯତ୍ନବାନ ହୋଇପାରିବ ବୋଲି କହିଥିଲେ।ଏହି ପ୍ରତିଷ୍ଠା ଦିବସରେ ବରିଷ୍ଠ ଆଇନଜୀବୀ ରାମ ଚନ୍ଦ୍ର ମହାପାତ୍ର, ଉପସଭାପତି ଜଗତ ମୋହନ ସାହୁ, ସହ ସମ୍ପାଦକ ଜିତେନ କୁମାର ପ୍ରହରାଜ, ତ୍ରିମୁଲା ପାତ୍ର, ମୁକ୍ତିରାମ ସାବତ ସମେତ ସମସ୍ତ ଓକିଲ ଯୋଗ ଦେଇଥିଲେ।