ଭୁବନେଶ୍ଵର: ବାତ୍ୟା ‘ମୋନ୍ଥା’ ବେଳେ କୋରାପୁଟ ଜିଲ୍ଲାରେ ୧୩୬ ପ୍ରସୂତୀଙ୍କ ପ୍ରସବ । ଜନ୍ମ ହୋଇଥିବା ୧୩୬ ଶିଶୁଙ୍କ ମଧ୍ୟରୁ ୬୭ ପୁଅ ଓ ୬୯ ଝିଅ । ସମସ୍ତ ନବଜାତ ଶିଶୁ ଓ ମା’ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଛନ୍ତି CDMO ।

ତେବେ ଗତକାଲି ଆନ୍ଧ୍ର ନର୍ସାପୁରମ୍ରେ ସ୍ଥଳଭାଗ ଛୁଇଁଥିଲା ମୋନ୍ଥା । କିନ୍ତୁ ଓଡ଼ିଶାରେ ଯାହା ଆକଳନ କରାଯାଉଥିଲା, ସେଭଳି କ୍ଷୟକ୍ଷତି ହୋଇନାହିଁ । କେବଳ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ କେତେକ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ପାହାଡ଼ ଧସିଥିଲା । ଗଜପତି, ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ତେବେ ବାତ୍ୟା ସଂକ୍ରାନ୍ତରେ ପାଣିପାଗ ବିଭାଗ ଏବଂ ବିଶେଷଜ୍ଞମାନେ ପୂର୍ବରୁ ଯାହା ସବୁ ଆକଳନ କରିଥିଲେ ସେହି ଅନୁଯାୟୀ ହୋଇନାହିଁ । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଗତିପଥ ବଦଳିଯିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିନାହିଁ ।