କେନ୍ଦ୍ରାପଡା;- ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ । ଏଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗରରୁ । ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ରାକ୍ଷୀ ପୂର୍ଣ୍ଣିମାରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସମ୍ପର୍କୀୟ ପିଉସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଯୁବକଙ୍କୁ ଉଠାଇ ଆଣି ଜେରା କରୁଛି ରାଜନଗର ଥାନା ପୋଲିସ ।
ସୁଚନାମୁତାବକ, ରାକ୍ଷୀ ପୂର୍ଣ୍ଣିମା ଦିନ ସମ୍ପର୍କୀୟ ପିଉସା ଛାତ୍ରୀଙ୍କୁ ନେଇ ଭାଲୁକୁଣି ମୂର୍ତ୍ତି କିଣିବାକୁ ମୋଟର ସାଇକେଲରେ ଔପଦା ଯାଇଥିଲେ । ମୂର୍ତ୍ତି ଆଣିବାକୁ ଡାକି ପ୍ରଥମେ ଗର୍ଜନପୁର- ଗୋସିଗାଁ ରାସ୍ତାରେ ଥିବା ପମ୍ପ ହାଉସ ଘର ଓ ପରେ କୁନ୍ଦୁପୁର ଗ୍ରୀଡ ଥିବା ନେଇ ନିଛାଟିଆ ରାସ୍ତାକୁ ନେଇ ଯାଇଥିଲେ ।
ସେଠାରେ ପିଉସା ନାବାଳିକା ସହିତ ଦୁଷ୍କର୍ମ କରୁଥିବାବେଳେ, ସେଠାରେ ମଦ ପିଉଥିବା ଅନ୍ୟ ଯୁବକମାନେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ ପୀଡିତା ନିଜ ଘରେ ଜଣାଇଥିଲେ । ପିଉସାର ଘଟଣାରେ ସମ୍ପୃକ୍ତି ଥିବାରୁ କିଛି ଲୋକ ଏହାକୁ ସମାଧାନ ପାଇଁ ଉଦ୍ୟମ କରିଥିଲେ ।
ଦୁଇ ଦିନ ଧରି ବୁଝାମଣା କରିଥିଲେ ବି ସମାଧାନ ହୋଇ ପାରିନଥିଲା । ଫଳରେ ଗତକାଲି ବିଳମ୍ବିତ ରାତିରେ ରାଜନଗର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଦୁଷ୍କର୍ମକାରୀ ପୀଡିତାଙ୍କ ଫଟୋ ଓ ଭିଡିଓ କରି ଭାଇରଲ କରିଥିବା ସୂଚନା ବି ମିଳିଛି। ଘଟଣାରେ ପୁଲିସ ସମ୍ପର୍କୀୟ ପିଉସାଙ୍କ ସମେତ ଅନ୍ୟ ୪ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।