ନୂଆଦିଲ୍ଲୀ: ରେଳ ବଜେଟ୍କୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସ୍ମିଟ୍ କରିଛନ୍ତି। ସେ କହିଛନ୍ତି ଯେ ଚଳିତ ବଜେଟ୍ରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଏହା ରାଜ୍ୟର ରେଳ ଭିତ୍ତିଭୂମି ବିକାଶରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ରେଳ ମନ୍ତ୍ରୀ କହିଛନ୍ତି ଯେ ଇଷ୍ଟ–ୱେଷ୍ଟ କରିଡର ମାଧ୍ୟମରେ ଓଡ଼ିଶାକୁ ବଡ଼ ଫାଇଦା ମିଳିବ। ଏହି କରିଡର ଓଡ଼ିଶା ଦେଇ ଛତିଶଗଡ଼, ମହାରାଷ୍ଟ୍ର ଓ ଗୁଜୁରାଟକୁ ସଂଯୋଗ କରିବ, ଯାହା ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଗତି ଦେବ।

ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ଉଲ୍ଲେଖନୀୟ ରେଳ ପ୍ରସାରଣ ହୋଇଥିବା ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ ଏହି ସମୟ ସୀମାରେ ୨,୨୦୦ କିଲୋମିଟର ନୂଆ ରେଳ ଟ୍ରାକ୍ ନିର୍ମାଣ ହୋଇଛି, ଯାହା ମାଲେସିଆର ସମଗ୍ର ରେଳ ନେଟୱାର୍କଠାରୁ ମଧ୍ୟ ଅଧିକ। କୋଲକାତା ଡାଙ୍କୁଣୀ–ଓଡ଼ିଶା–ମଧ୍ୟପ୍ରଦେଶ ରୁଟ୍ରେ ରେଳ ସଂଯୋଗ ମଧ୍ୟ ସୁଦୃଢ଼ ହୋଇଛି। ଏହା ଓଡ଼ିଶାର ଭିତ୍ତିଭୂମିକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ଇଷ୍ଟ–ୱେଷ୍ଟ କରିଡର ମାଧ୍ୟମରେ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ବଢ଼ିବ ଏବଂ ଓଡ଼ିଶା ଭାରତର ରେଳ ନେଟୱାର୍କରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭାହେବ।

ଏହି ଅବସରରେ ରେଳ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ତାଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ୍ ସରକାର ଭଲ କାମ କରୁଛି। ଆଗାମୀ ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାମ କରାଯିବ ବୋଲି ଯେ ପ୍ରତିଶ୍ରୁତି ଦିଆଯାଇଥିଲା, ସେହି ଆଧାରରେ ଏବେ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୯୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାମ ଚାଲୁଥିବା ବେଳେ, ଶେଷ ୧୦ ହଜାର କୋଟି ଟଙ୍କାର କାମ ସମ୍ପୂର୍ଣ୍ଣ ହେଲେ ମିଶନ ସଫଳ ହେବ ବୋଲି ସେ କହିଛନ୍ତି।