ଅର୍ଦ୍ଧ ସାମରିକ ବାହିନୀରେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ

ତୀବ୍ର ବିରୋଧ ପରେ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ନେଇ ଦେଶର ଯୁବକଙ୍କ ମଧ୍ୟରେ ଏକ ଭ୍ରମ ସୃଷ୍ଟି ହୋଇଛି। ଯାହାକୁ ନେଇ ଦେଶର ଚାରି ଆଡେ ବିରୋଧର ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଗ୍ନିପଥ ଯୋଜନାରେ ତିନି ସେନାରେ ୪ ବର୍ଷର କାର୍ଯ୍ୟକାଳ ପରେ ଯୁବକଙ୍କ ଲାଗି ଚାକିରିର ରାସ୍ତା ବନ୍ଦ ହେବା ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହଛନ୍ତି। ସେନାରେ ୪ ବର୍ଷ କାର୍ଯ୍ୟ କରିବା ପରେ ଅଗ୍ନିବୀରମାନଙ୍କୁ ଅର୍ଦ୍ଧସାମାରିକ ବାହିନୀ ଓ ଆସାମ ରାଇଫଲରେ ନିଯୁକ୍ତି ଲାଗି ପ୍ରାଥମିକତା ଦିଆଯିବ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଏଥିଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦିଆଯିବ ବୋଲି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ଅଗ୍ନିପଥ ଯୋଜନାରେ ପ୍ରଶିକ୍ଷଣ ନେଇଥିବା ଯୁବକମାନଙ୍କୁ ଦେଶର ସେବା ଓ ସୁରକ୍ଷା ଲାଗି ସେମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଶାହ କହିଛନ୍ତି। କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଓ ଆସାମ ରାଇଫଲରେ ଖାଲିଥିବା ୭୩ ହଜାର ପଦବୀ ପୂରଣ ସମୟରେ ଅଗ୍ନିବୀରଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। ସାରା ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ସେନା ଆଶାୟୀଙ୍କ ଯୁବକଙ୍କ ତୀବ୍ର ବିରୋଧ ପ୍ରଦର୍ଶନ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସକାଳେ ତିନି ସେନାର ମୁଖ୍ୟଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ବୈଠକରେ ସ୍ଥଳସେନା ଉପମୁଖ୍ୟ ବିଏସ ରାଜୁ, ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ, ଜଳସେନା ମୁଖ୍ୟ ଆର ହରି କୁମାର ପ୍ରମୁଖ ଯୋଗଦେଇଥିଲେ। ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ ହାଇଦ୍ରାବାଦ ଗସ୍ତ ଥିବାରୁ ବୈଠକରେ ଯୋଗଦେଇ ପାରିନଥିଲେ। ତେବେ ଏଥିଲାଗି ତିନି ସେନା ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।