ସାବାଡ଼ ହେବେ ଅମାନିଆ ଗାଡି ଚାଳକ

ମାର୍ଚ୍ଚ ୨୧ରୁ ରାଜ୍ୟରେ ଆରମ୍ଭ ହୋଇଛି ଧରପଗଡ ଅଭିଯାନ୍ । ସାବାଡ଼ ହେବେ ଅମାନିଆ ଗାଡି ଚାଳକ । ଏଣିକି ଆଉ ପାରିବେ ନାହିଁ ଖସି, ଗଣିବେ ତଣ୍ଡ କଟିବ ଲାଇସେନ୍ସ । ସାରା ରାଜ୍ୟରେ ଯାଞ୍ଚ କଡାକଡି କରାଯାଇଛି । ପରିବହନ ବିଭାଗ ଓ ପୋଲିସ ଦ୍ୱାରା ୧୦ ଦିନିଆ ସ୍ୱତନ୍ତ୍ର ଟ୍ରାଫିକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ ମଦ୍ୟପାନ, ବିନା ହେଲମେଟ୍ ଓ ସିଟ୍ ବେଲ୍ଟ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସଡ଼କ ସୁରକ୍ଷାକୁ ନେଇ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଅମାନିଆ ଓ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଇ-ଚାଲାଣ ଜାରି ହେଉଛି। ଏମିତି ଅମାନିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ପୋଲିସ । ଏମିତିକି ଛକ ଛକରେ ଟ୍ରାଫିକ୍ ପଇଁତରା ଜାରି ରହିଛି ।

ପରିବହନ ବିଭାଗ ଓ ପୋଲିସ ଦ୍ୱାରା ୧୦ ଦିନିଆ ସ୍ୱତନ୍ତ୍ର ଟ୍ରାଫିକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ରାଜଧାନୀରେ ଚେକିଂ ବେଳେ ଆଦାୟ ହେଲାଣି ପୁଳା ପୁଳା ଫାଇନ୍ । ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଗତ ଦୁଇ ବର୍ଷରେ ୬୫ ହଜାର ୬୪୯ ଅମାନିଆ ଗାଡି ଚାଳକ ହରାଇଛନ୍ତି ଡ୍ରାଇଭିଙ୍ଗ ଲାଇସେନ୍ସ । ଜରିମାନା ବି ମୋଟା ଆକାରରେ ଆଦାୟ ହୋଇଛି । ହଜାର କି ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ସରକାର । ଗତ ଦୁଇ ବର୍ଷ ମଧ୍ୟରେ ୨୧୬ କୋଟି ୭୧ ହଜାର ୭୫୬ ଟଙ୍କା ଫାଇନ ଆଦାୟ କରାଯାଇଛି ।