୨୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡିଛି । ସାମାଜିକ ଦୂରତା ବଜାୟ ରଖି ଆଜି ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଶେଷରେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ଆଜିର ବୈଠକରେ ପର୍ୟ୍ୟଟନ କ୍ଷେତ୍ରର ବିକାଶ ପାଇଁ ଜମି ଆବଣ୍ଟନ ନେଇ ଥିବା ସମସ୍ୟାକୁ ଦୂର କରାଯାଇଛି ଫଳରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସିଙ୍ଗଲ ଉଇଣ୍ଡୋ କମିଟି ଥରେ ଜମି ଆବଣ୍ଟନକୁ ଅନୁମତି ଦେବା ପରେ ଆଉ ଏକ କମିଟିର ସୁପାରିଶ ଆବଶ୍ୟକ ହେବ ନାହିଁ ।

ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ ଲାଗି ଜମି ଯୋଗାଇବ ସଂସ୍ଥା। ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟିର ସହାୟତା ଦିଆଯିବା ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସେହିପରି ସୋସାଇଟି ଆକ୍ଟରେ ପରିବର୍ତ୍ତନ ନେଇ ମୁଖ୍ୟ ସଚିବଙ୍କ ସୂଚନା ଦେଇଛନ୍ତି। ଏଣିକି ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକରଣ କରାଯିବ। ସେହିଭଳି ଚାଷୀଙ୍କ ଉତ୍ପାଦିତ ଶସ୍ୟ, ପନି ପରିବା ବିକ୍ରି ପାଇଁ ଇ-ମାର୍କେଟ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିଛି। ଯାହାଦ୍ୱାରା ଚାଷୀ ନିଜ ଫସଲ ସହଜରେ ବିକ୍ରି କରିପାରିବ। ସେହିପରି ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପ୍ରାଧୀକରଣ-ଙଜଋଊଇ ଶକ୍ତି ବିଭାଗ ଅଧୀନକୁ ଆଣିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ଦିଆଯିବ। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ୟ୍ୟକ୍ରମରେ ପିଲାଙ୍କୁ ସହାୟତା କରାଯିବ। ବିଶେଷ ଭାବେ ମାଗଣାରେ ଜୋତା ଓ ସ୍ୱେଟର ଯୋଗାଇ ଦିଆଯିବ। ଏହିପରି ଭାବେ ମୋଟ୍ ୨୨ଟି ପ୍ରସ୍ତାବକୁ ଆଜି କ୍ୟାବିନେଟରେ ଅନୁମୋଦନ ମିଳିଛି ।