ଭୁବନେଶ୍ୱର: ଜୋରସୋର ଚାଲିଛି ତାଳଚେର-ବିମଳାଗଡ ରେଳ ପ୍ରକଳ୍ପର ସଂଯୋଗୀକରଣ କାମ । ସୁନାଖଣି ଓ ସମଲ ଷ୍ଟେସନ ମଧ୍ୟରେ ଥିବା ବାରୁଁଅ ପାହାଡରେ ରେଳପଥ ପାଇଁ ୮୪୦ମିଟର ସୁଡଙ୍ଗ ଖୋଳା କାମ ଏବେ ଶେଷ ପର୍ଯ୍ୟାୟରେ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦୀ ସରକାରଙ୍କ ନେତୃତ୍ୱରେ ଓଡିଶାରେ ରେଳ ସଂଯୋଗର କାମ ତ୍ୱରାନିତ ହୋଇପାରିଛି ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାରଙ୍କ ୫ ଦଶନ୍ଧିର ଦାବି ପୂରଣ ପାଇଁ ସମସ୍ତ ବାଧାବିଘ୍ନକୁ ହଟାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ୯୨୮କୋଟି ଟଙ୍କା ବ୍ୟୟରେ, ୧୪୯ ଦଶମିକ ୭୮ କିଲୋମିଟର ରେଳପଥ ପ୍ରକଳ୍ପ ଓଡିଶାର ଖଣି ଅଞ୍ଚଳକୁ ସଂଯୋଗ କରିବ । ଏହା ଦ୍ୱାରା ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତା କମିବା ସହ ରାଜ୍ୟ ଅର୍ଥନୀତି ସୁଦୃଢ ହେବବୋଲି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।