(ରିପୋର୍ଟସ ଟୁଡ଼େ): ପୁରୀ ଶ୍ରୀ ମନ୍ଦିରରେ ବରାଦି ଭୋଗ ବାହାରିବା ପରେ ତାକୁ ରଖିବା ନେଇ ଚିନ୍ତା ପ୍ରକଟ ହୋଇଛି । ତେଣୁ ବରାଦି ଭୋଗ ରଖିବା ପାଇଁ ଏକ ପ୍ଲାଟଫର୍ମ ନିର୍ମାଣ କରାଯିବ। କୋଇଲି ବୈକୁଣ୍ଠ ନିକଟ ସୁଆର ମହାସୁଆର ନିଯୋଗରେ ଗୃହ ନିକଟରେ ଏହି ପ୍ଲାଟଫର୍ମ ନିର୍ମାଣ କରିବାକୁ ଶ୍ରୀମନ୍ଦିର ଉନ୍ନୟନ ପାଇଁ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପାଇଁ ଆଲୋଚନା ହୋଇଥିଲା। ବର୍ତମାନ ଭେଗ ବାହାରିବା ପରେ ତାକୁ ବାଇଶି ପାହାଚ ଗୁମୁଟ , ଦକ୍ଷିଣଦ୍ୱାରା ଚକଡ଼ା, ଉତ୍ତରଦ୍ୱାର ପାହାଚ ଆଦି ସ୍ଥାନରେ ଆଣି ରଖାଯାଉଛି । । ଅବଢାକୁ ଏଣେ ତେଣେ ରଖିବା ଫଳରେ ସମସ୍ୟା ଉପୁଜୁଛି।
ସେହିଭଳି ଶ୍ରୀମନ୍ଦିରରେ ରହିଥିବା ଢିଙ୍କି କୁଟା ଘର ଓ କଟାବଟା ଘର ଦୁର୍ବଳ ଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏହି ଘରୁ ପାଣି ଗଳୁଥିବାରୁ ଖୁବଶୀଘ୍ର ଏହାର ମରାମତି କରାଯିବ। ସରଘର ମଧ୍ୟ ମରାମତି କରାଯିବ। ଆନନ୍ଦ ବଜାରରେ ଜଳ ଯୋଗାଣ ପ୍ରକଳ୍ପ କରାଯିବ। ସମୁଦ୍ରକୂଳରେ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ରହିଛି। ମାତ୍ର ଏହା ପର୍ୟ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରୁନାହିଁ। ତେଣୁ ଏହାର ଆଧୁନିକୀକରଣ କରାଯିବ। ସିଂହଦ୍ବାର ସମ୍ମୁଖରେ ପ୍ରତିହାରୀ ନିଯୋଗର ଏକ ଅସ୍ଥାୟୀ ପଂକ୍ତି ଘର ନିର୍ମାଣ କରାଯିବ।