ଶିଘାଂଣିର ଗୋଟିଏ ବୁନ୍ଦାବି କୋଭିଡ ସଂକ୍ରମଣ ପାଇଁ ଯଥେଷ୍ଟ

ବ୍ରିଟେନ: ବ୍ରିଟେନରେ ହୋଇଥିବା ଏକ ନୂତନ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ନାକରୁ ବାହାରୁଥିବା ପାଣିର ଗୋଟିଏ ବି ସୂକ୍ଷ୍ମ ବୁନ୍ଦା ସଂସ୍ପର୍ଶରେ ଆସିଲେ ଅନ୍ୟ ଜଣେ ବ୍ୟକ୍ତି କୋଭିଡ୍-୧୯ର ଶିକାର ହୋଇ ପାରନ୍ତି। ଏହି ଅନୁସନ୍ଧାନର ପ୍ରାରମ୍ଭରେ ଅଂଶଗ୍ରହଣକାରୀଙ୍କ ଶରୀରରେ ସାରସ୍‌-କୋଭ-୨ ଭାଇରସ୍ର ଅଂଶ ଭର୍ତ୍ତି କରାଯାଇଥିଲା। ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି କି, ଏହା ହେଉଛି ଏହାର ପ୍ରଥମ ଅନୁସନ୍ଧାନ। ଏଥିରେ ଜଣେ ବ୍ୟକ୍ତି ସାରସ୍‌-କୋଭ-୨ ଭାଇରସ୍ ସଂସ୍ପର୍ଶରେ ଆସିବାଠାରୁ ଆରମ୍ଭ କରି ସଂକ୍ରମଣରୁ ମୁକ୍ତି ପାଇବା ପର‌୍ୟ୍ୟନ୍ତ ଯାତ୍ରାରେ କୋଭିଡ-୧୯ ସ୍ଥିତିର ବିସ୍ତୃତ ବିଶ୍ଳେଷଣ କରାଯାଇଥିଲା। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଭାଇରସ୍ ସଂସ୍ପର୍ଶରେ ଆସିବାର ପାଖାପାଖି ଦୁଇ ଦିନ ପରେ ବ୍ୟକ୍ତିଠାରେ ଲକ୍ଷଣ ବହୁତ ଦ୍ରୁତ ଗତିରେ ଦେଖାଯିବାକୁ ଲାଗିଥାଏ। ସେମାନେ ଏହା ମଧ୍ୟ ଦେଖିଛନ୍ତି, ସଂକ୍ରମଣ ଗଳାରୁ ଆରମ୍ଭ ହୋଇଥାଏ ଏବଂ ପାଖାପାଖି ୫ ଦିନ ପରେ ଯେତେବେଳେ ଏହା ଚରମ ସୀମାରେ ପହଞ୍ଚେ, ତ ସେତେବେଳେ ନାକରେ ଭାଇରସର ସଂଖ୍ୟା ଗଳା ତୁଳନାରେ ଯଥେଷ୍ଟ ଅଧିକ ଥାଏ।
ଅନୁସନ୍ଧାନରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି। ରୋଗୀଠାରେ ଭାଇରସ୍ ଅଛି କି ନାହିଁ, ତାହାର ଏକ ବିଶ୍ୱସନୀୟ ସୂଚକ ହେଉଛି ଲେଟେରାଲ ଫ୍ଲୋ ଟେଷ୍ଟ। ଆହୁରି ମଧ୍ୟ ଅନ୍ୟ ଲୋକଙ୍କଠାରେ ଭାଇରସ୍ ପ୍ରସାର କରିବାରେ ଏହା ସକ୍ଷମ କି ନୁହେଁ, ତାହା ବି ଏହି ଅନୁସନ୍ଧାନରୁ ଜଣା ପଡ଼ିଛି। ଅନୁସନ୍ଧାନର ଫଳାଫଳ ‘ନେଚର ଜର୍ଣ୍ଣାଲ’ର ପ୍ରି-ପ୍ରିଣ୍ଟ ସର୍ଭରରେ ପ୍ରକାଶିତ ହୋଇଛି। ଯଦିଓ ଏହାର ସମୀକ୍ଷା କରାଯିବା ଏବେ ମଧ୍ୟ ବାକି ଅଛି।